ବୈକୁଣ୍ଠଧାମ ଆଶ୍ରମ କର୍ତ୍ତୃପକ୍ଷଙ୍କ ନାମରେ ସଙ୍ଗିନ ଅଭିଯୋଗ

ଭୁବନେଶ୍ୱର:  ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ମୌଜାରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଆଶ୍ରମ କର୍ତ୍ତୃପକ୍ଷ ତାଙ୍କ ସ୍ତ୍ରୀଙ୍କୁ କବ୍‌ଜା କରି ରଖିବା ସହ ୨ ଲକ୍ଷ ଟଙ୍କା ଦାବି କରିଥିବା ଜଣେ ବ୍ୟକ୍ତି ଶହୀଦନଗର ଥାନାରେ ଏତଲା ଦେଇଛନ୍ତି। ଏପରିକି ଆଶ୍ରମରେ ବହୁ ଅନୈତିକ କାର୍ଯ୍ୟ ହେଉଥିବା ବେଳେ ତାଙ୍କ ପାଖରେ ଏନେଇ ସବୁ ପ୍ରମାଣ ଥିବା ସେ ଦାବି କରିଛନ୍ତି। ଅଭିଯୋଗ ଆଣିଥିବା ବ୍ୟକ୍ତିଜଣକ ହେଲେ କେନ୍ଦୁଝର ଅଞ୍ଚଳର ଜିତେନ ଗିରି (୩୮)। ପୋଲିସ ତାଙ୍କ ଏତଲା ଆଧାରରେ ଏକ ଷ୍ଟେଶନ ଡଏରୀ ପଞ୍ଜୀକୃତ କରି ତଦନ୍ତ କରୁଛି।
ଏତଲା ଅନୁଯାୟୀ, ଜିତେନ୍‌ଙ୍କର ୨୦୧୪ରେ ବିବାହ ହୋଇଥିଲା। ସେ ତାଙ୍କ ସ୍ତ୍ରୀଙ୍କ ସହ ଭୁବନେଶ୍ୱରରେ ରହୁଥିଲେ। ତେବେ ପରବର୍ତ୍ତୀ ସମୟରେ ସ୍ତ୍ରୀ ଏମ୍‌ଫିଲ୍‌ ପାଇଁ ଆଚାର୍ଯ୍ୟ ବିହାରରେ ଓ ଜିତେନ ବ୍ୟବସାୟ ପାଇଁ ମୟୂରଭଞ୍ଜରେ ରହିଥିଲେ। କରୋନା ପରେ ତାଙ୍କ ସ୍ତ୍ରୀ ଶିବାନୀ ନାମ୍ନୀ ଯୁବତୀଙ୍କ ସଂସ୍ପର୍ଶରେ ଆସି ଉକ୍ତ ଆଶ୍ରମକୁ ଯାଇଥିଲେ। ଏହାପରଠାରୁ ତାଙ୍କ ସ୍ତ୍ରୀ ଘର ଛାଡ଼ି ଉକ୍ତ ଆଶ୍ରମରେ ରହିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଏପରିକି ସ୍ତ୍ରୀଙ୍କୁ ଆଣିବାକୁ ଆଶ୍ରମ ଯାଇଥିଲେ ମଧ୍ୟ ସେ ଆସିବାକୁ ରାଜି ହୋଇ ନ ଥିଲେ। ସେହିପରି ଜିତେନ୍‌ ଆହୁରି ଅଭିଯୋଗ କରିଛନ୍ତି ଯେ, ଆଶ୍ରମର ବାବା କାଶୀନାଥଙ୍କ ପୁଅଙ୍କ ସହ ତାଙ୍କ ସ୍ତ୍ରୀ ଅଶ୍ୱଚାଳନା ଶିଖିବାକୁ ଯାଆନ୍ତି। ଏଥିସହ ବିଦେଶୀ ଲୋକଙ୍କ ସହ କଥାବାର୍ତ୍ତା କରନ୍ତି। ସେଠାକୁ ଆସୁଥିବା ଧନୀ ଲୋକଙ୍କୁ ତାଙ୍କ ସ୍ତ୍ରୀ ଟ୍ରାପ୍‌ କରି ଆଶ୍ରମକୁ ଆଣନ୍ତି। ତେବେ ଏନେଇ କାଶୀନାଥଙ୍କ ସହ ସେ କଥା ହୋଇଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲେ। ତେବେ ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ଆଶ୍ରମରେ ଥିବା କ୍ରିଷ୍ଣା ନାମକ ଜଣେ ଯୁବକଙ୍କ ସହ କଥା ହେବା ପରେ ସେ ୨ ଲକ୍ଷ ଟଙ୍କା ଦାବି କରିଥିଲେ। ସେ ୫୦ ହଜାର ଟଙ୍କା ଦେଇଥିଲେ ମଧ୍ୟ ଆଶ୍ରମ କର୍ତ୍ତୃପକ୍ଷ ସ୍ତ୍ରୀଙ୍କୁ ଛାଡ଼ି ନ ଥିଲେ। ସେ ଗତ ୮ ମାସ ହେବ ତାଙ୍କୁ ଖୋଜୁଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ଆଶ୍ରମ ନାଁରେ ଖବର ପଢ଼ି ସେ ଥାନାକୁ ଆସିଥିବା ଏତଲାରେ କହିଛନ୍ତି। ଏପରିକି ଆଶ୍ରମରେ ଥିବା ଏକାଧିକ ବ୍ୟକ୍ତିଙ୍କ ନାଁରେ ସେ ଏଭଳି ଅଭିଯୋଗ କରିଛନ୍ତି। ତେବେ ସ୍ତ୍ରୀ ଆଶ୍ରମରେ ଥିବା କହିବାରୁ ପୋଲିସ ଟିମ୍‌ ଜତିନଙ୍କୁ ନେଇ ଆଶ୍ରମ ଯାଇଥିଲା। ହେଲେ ଆଶ୍ରମରେ ତାଙ୍କ ସ୍ତ୍ରୀ ନ ଥିବା ଜଣାପଡ଼ିଥିଲ। ଏନେଇ ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ ଦିଲୀପ କୁମାର କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ନେଇ ଆଶ୍ରମ କର୍ତ୍ତୃପକ୍ଷ କିମ୍ବା ପଣ୍ଡିତ କାଶୀନାଥଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।