ଆଜି ଓଡ଼ିଶା ଆସିବ ବଳଙ୍ଗା ପୀଡ଼ିତାଙ୍କ ମରଶରୀର

 ଆଜି ଓଡ଼ିଶା ଆସିବ ବଳଙ୍ଗା ପୀଡ଼ିତାଙ୍କ ମରଶରୀର ।  ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ଭୁବନେଶ୍ବର ପଠାଯିବ ।  ମଧ୍ୟାହ୍ନ ସୁଦ୍ଧା ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ମିଳିଛି । ମର ଶରୀର ଭୁବନେଶ୍ବର ପଠାଇବା ପାଇଁ ଆବାସିକ କମିସନରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଅପରାହ୍ଣରେ ପୀଡ଼ିତାଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିବ। ଏହା ପରେ ବଳଙ୍ଗା ସ୍ଥିତ ଗାଁକୁ ନିଆଯିବ ।  ସେଠାରେ ସମସ୍ତ ପ୍ରକ୍ରିୟା ଶେଷ କରାଯିବ । ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂଧ୍ୟା ୬ଟା ୨୨ରେ ମୃତ୍ୟ ହୋଇଛି ।  ସଂଧ୍ୟା ୫ଟା ୧୫ରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା ।  ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସହଜ ହୋଇନଥିଲା । 

ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ଗାଁ ବଳଙ୍ଗା ବାୟାବରରେ ବଢାଯାଇଛି ସୁରକ୍ଷା ବ୍ୟବସ୍ଥା । ତାଙ୍କ ଘର ଆଗରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ଏକପ୍ରକାର ଜନଶୂନ୍ୟ ହୋଇଯାଇଛି ତାଙ୍କ ଗାଁ । ୧୪ ଦିନ ପରେ ହଠାତ୍ ପୀଡ଼ିତାଙ୍କର ମୃତ୍ୟୁ ହେବା ଘଟଣାକୁ କେହି ବିଶ୍ବାସ କରିପାରୁ ନାହାନ୍ତି । ସମଗ୍ର ବାୟାବରର ଗୋପାଳପୁର ପଡ଼ା ସ୍ତବ୍ଧ ହୋଇଯାଇଛି ।  ସାରା ଗାଁରେ ପୁଲିସ ପଇଁତରା ମାରୁଛି । ପୀଡ଼ିତାଙ୍କ ଘର ସାମନାରେ ପୁଲିସ ଜଗି ବସିଛନ୍ତି । କେହି ଘରୁ ବାହାରୁନାହାନ୍ତି । ସେପଟେ ଅନ୍ତିମ ସଂସ୍କାର ପାଇଁ ଗାଁ ଶ୍ମଶାନରେ ପ୍ରକ୍ରିୟା ଆରମ୍ଭ ହୋଇଛି  ।  ନିକଟ ସଂପର୍କୀୟ ଓ ସାହି କବର ଖୋଳୁଛନ୍ତି ।  ସେପଟେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି । ପୁଲିସକୁ କ୍ଲିନଚିଟ୍ ଦେବା ସହିତ ଘଟଣାକୁ ନେଇ ରାଜନୀତି ନକରିବାକୁ ନିବେଦନ କରିଛନ୍ତି । ମାନସିକ ଚିନ୍ତାରେ ତାଙ୍କ ଝିଅର ମୃତ୍ୟୁ ହୋଇଥିବା କହିଛନ୍ତି ।  ସେପଟେ ଆଉ ଏକ ଘଟଣା କାଲି ଏକ୍ସରେ ଦେଖିବାକୁ ମିଳିଛି  ଓଡ଼ିଶା ପୁଲିସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଦେଇଥିବା ସୂଚନାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି ।  ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ବଳଙ୍ଗା ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ ।  

ଏହି ଘଟଣାରେ ପୁଲିସ ପକ୍ଷରୁ ନିଷ୍ଠାର ସହ ତଦନ୍ତ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ସ୍ପଷ୍ଟ ହୋଇଛି ।  ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ନାବାଳିକା ପୋଡ଼ି ଘଟଣାରେ କାହାର ସମ୍ପୃକ୍ତି ନାହିଁ। ଯେଉଁ ତିନିଜଣ ଅଭିଯୁକ୍ତଙ୍କ କଥା କୁହାଯାଉଥିଲା ତାହା ମିଛ । ତେବେ ଅଭିଯୁକ୍ତ କିଏ ? ପୀଡ଼ିତା କ’ଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ ?  ନା କେହି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ? ତଦନ୍ତର ଶେଷ ପର୍ଯ୍ୟାୟରେ ଏହି ସବୁ ଲୋକଙ୍କୁ ପୁଲିସ ଖୋଜିବ ବୋଲି କୁହାଯାଉଛି ।