ବାଣୀବିହାର ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡ଼ିଲେ

ଭୁବନେଶ୍ୱର :ଉକôଳ ବିଶ୍ୱବିଦ୍ୟାଳୟରେ ଆଉ ଚାଲିବନି ଅଣଛାତ୍ରଙ୍କ ରାଜ୍ । ବାଣୀବିହାର ହଷ୍ଟେଲକୁ ବର୍ଷ ବର୍ଷ ଧରି ମାଡ଼ିବସିଥିବା ଅଣଛାତ୍ରଙ୍କୁ ଆଜି ବିଦା କରାଯାଇଛି । ଯେଉଁମାନଙ୍କ ରୁମ୍ରେ ତାଲା ପଡ଼ିଥିଲା ସେହି ସବୁ ତାଲା ଭାଙ୍ଗି ଭିତରେ ଥିବା ଆସବାବପତ୍ର ଫିଙ୍ଗି ଦିଆଯାଇଛି । ବହି ବଦଳରେ ରୁମ୍ରେ ଗଦାଗଦା ମଦ ବୋତଲ ଦେଖି ସେଠି କ’ଣ ଚାଲିଥିଲା ସମସ୍ତେ ଅନୁଭବ କରିଛନ୍ତି ।
ସେପ୍ଟେମ୍ବର ପହିଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନୋଟିସ୍ କରିଥିଲେ । ୪ ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ କୁହାଯାଇଥିଲେବି ଅଣଛାତ୍ରଙ୍କ ଇଙ୍ଗିତରେ କୁଳପତିଙ୍କୁ ଘେରାଉ କରାଯାଇଥିଲା । ବାଣୀବିହାରରେ ଉତ୍ତେଜନା ସୃଷ୍ଟି କରାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି, ଅନେକ ଅଣଛାତ୍ର ରୁମ୍ କବଜା କରି ତାହାକୁ ଭଡ଼ା ଦେଇଥିଲେ । ଜୋମାଟୋ, କ୍ୟାବ ବାଲା ବି ସେଠାରେ ରହୁଥିଲେ । ଆଜି କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପଣ କରିଥିଲେ । ସେଥିପାଇଁ କମିଶନରେଟ ପୁଲିସର ସହଯୋଗ ନିଆଯାଇଥିଲା ।
ଆଜି ସକାଳେ ଡିସିପି, ଏସିପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସକାଳ ୯ଟାରେ ୧୦ ପ୍ଳାଟୁନ୍ ପୁଲିସ୍ ଫୋର୍ସ ସହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପହଁଚିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ପ୍ରାୟ ଘଣ୍ଟାଏ କାଳ ଆଲୋଚନା ହୋଇଥିଲା । ପୁଲିସଙ୍କ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ହଷ୍ଟେଲ ଯାଇଥିଲେ । ହଷ୍ଟେଲ ନମ୍ବର ୧, ୨, ୩ ଓ ୫କୁ ଛାନଭିନ କରାଯାଇଥିଲା । ପୁଲିସ ଦେଖି ଅନେକ ଅଣଛାତ୍ର ରୁମରେତାଲା ମାରି ଚମ୍ପଟ ମାରିଥିଲେ । ବିଶେଷକରି ୩ ନମ୍ବର ହଷ୍ଟେଲ ଅଣଛାତ୍ର, ରାଜନୀତିକ ପିଲାମାନଙ୍କର ଆଡ୍ଡାସ୍ଥଳୀ ପାଲଟିଥିଲା । ସେଠାରେ ୨୧୦ଟି ରୁମ୍ ଥିଲେବି ମାତ୍ର ୪୦ ଛାତ୍ର ହଷ୍ଟେଲରେ ରହୁଥିଲେ । ବାକି ସବୁ ଅଣଛାତ୍ରଙ୍କର କବଜାରେ ରହିଥିଲା । ସେହି ଛାତ୍ରମାନଙ୍କୁ ହଷ୍ଟେଲ ନମ୍ବର ୧ ଓ ୨କୁ ସ୍ଥାନାନ୍ତରିତ କରାଯାଇ ୩କୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରାଯାଇଥିଲା । ତାଲା ଭାଙ୍ଗି ବାହାରେ ସବୁ ଆସବାବପତ୍ର ଫିଙ୍ଗି ଦିଆଯାଇଥିଲା । ସେହି ଘରମାନଙ୍କରେ ବହି ଖଣ୍ଡେ ମିଳିନଥିଲା ବରଂ ହିଟର, ମଦ ବୋତଲ ଓ ରୋଷେଇ ସାମଗ୍ରୀ ଆଦି ଥିବା ଦେଖିବାକୁ ମିଳିଥିଲା । ହଷ୍ଟେଲ ନମ୍ବର ୩କୁ ସମ୍ପୂର୍ଣ୍ଣ ସିଲ୍ କରାଯାଇ ବିଜୁଳି, ପାଣି ଆଦି ସଂଯୋଗ କାଟି ଦିଆଯାଇଛି । କ୍ୟାଣ୍ଟିନର କଣ୍ଟ ପୂରି ଯାଇଥିବାରୁ ତାହାକୁ ବି ଖାଲି କରି ଦିଆଯାଇଛି । ସେହିପରି ୨ ନମ୍ବର ହଷ୍ଟେଲରେ ୩୧ ରୁମ୍ ଅଣଛାତ୍ରଙ୍କ କବଜାରେ ଥିଲା । ତାହାକୁ ଖାଲି କରାଯାଇଛି ।
ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତିଯେ, ଦୀର୍ଘଦିନ ଧରି ବାଣୀବିହାରରେ ଅଣଛାତ୍ର ରହୁଥିବାରୁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିଲା । ତେଣୁ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁଳପତିଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଏନେଇ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଥିଲେଯେ, ମୋହନ ମାଝୀ ସରକାର ଆଜି ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି । ଏହା ହେବାର ଆବଶ୍ୟକତା ଥିଲା । ସେହିପରି ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ କହିଛନ୍ତିଯେ, ଛାତ୍ରଙ୍କ ପାଇଁ ଅନୁଷ୍ଠାନ, ଅଣଛାତ୍ରଙ୍କ ପାଇଁ ନୁହେଁ । ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।