କଟନିଛଟନିକୁ ନେଇ ଚାଷୀ-ମିଲର ବଚସା
ଜୟପୁର : ଚଳିତ ବର୍ଷ ଜୟପୁରରେ ରବି ଧାନ କ୍ରୟ ବିଳମ୍ବ ହେଉଥିବା ଜଣାପଡିଛି । ଟୋକେନ ଆସିବା ପରେ ମଧ୍ୟ ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଚାଷୀଙ୍କୁ କଟନି ଛଟନି ପାଇଁ ମିଲର ମାନେ ଧାନ କୁଁଇଟାଲ ପ୍ରତି ୫ କିଲୋଗ୍ରାମ ଧାନ ଅଧିକା ମାଗୁଛନ୍ତି । ଅନ୍ୟପଟେ କିଛି ଧନ ଅଭାବୀ ଚାଷୀ ମାନେ ଅଧିକା ୫ କିଲୋଗ୍ରାମ ଧାନ ଦେବାକୁ ପ୍ରସ୍ତୁତ ଅଛନ୍ତି । ଚଳିତ ବର୍ଷ ରବି ମଣ୍ଡି ଧାନ କ୍ରୟ କରିବା ନିମନ୍ତେ ଡିଏଲ୍ପିସି ବୈଠକର ନିଷ୍ପତ୍ତି ଅନୁସାରେ ମେ ମାସ ୨୫ ତାରିଖ ଦିନ ଜିଲ୍ଲାରେ ଧାନ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ପ୍ରଶାସନ ନିଜ ଇଚ୍ଛା ମୁତାବକ ଜୁନ୍ ୫ ତାରିଖରେ ମଣ୍ଡି ଖୋଲିବାକୁ ଏକ ପାଖିଆ ନିଷ୍ପତ୍ତି ଗ୍ରହଣ କରିଥିଲା । ଏହାକୁ ବିରୋଧ କରି ଜିଲ୍ଲା କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଗତ ମାସ ୨୯ ତାରିଖରେ ଜୟପୁରସ୍ଥ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଘେରିବା ସହିତ ତୁରନ୍ତ ମଣ୍ଡି ଖୋଲିବା ସହ ଧାନ କ୍ରୟ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ । ଚାଷୀ ମାନଙ୍କୁ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ୨ ଜୁନ୍ ରେ ମଣ୍ଡି ଖୋଲିବା ସହ ଧାନ କ୍ରୟ କରାଯିବ ବୋଲି କହିଥିଲେ । କିନ୍ତୁ ଜୟପୁରରେ ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ଧାନ କ୍ରୟ କରାଯାଇନାହିଁ । ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି ।
ଧାନ ଅମଳ ସମୟରେ ବାରମ୍ବାର ଅଦିନିଆ ବର୍ଷା କାଳ ସାଜିଥିବା ବେଳେ ଏପଟେ ମଣ୍ଡିରୁ ଧାର୍ଯ୍ୟ ସମୟରେ ଧାନ ଉଠିପାରୁ ନାହିଁ । ଚାଷୀ ମାନେ ଧାନ ତଳିପକାଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି ଏପରି କି ବହୁ କ୍ଷତି ମଧ୍ୟ ସହିବାକୁ ପଡୁଛି ବୋଲି କେତେକ ଚାଷୀ ମତପ୍ରକାଶ କରିଛନ୍ତି । ପ୍ରଶାସନ ଗଣତନ୍ତ୍ର ପଦ୍ଧତିକୁ କୁଠାରାଘାତ କରିଥିବା କହିଛନ୍ତି ଚାଷୀ । ଯେଉଁ ମିଲର ମାନେ ଚାଷୀଙ୍କ ଧାନକୁ ହରି ଲୁଟ୍ କରୁଛନ୍ତି ଉକ୍ତ ମିଲ ଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ସରକାରଙ୍କ ପକ୍ଷରୁ ମଧ୍ୟ ଏହି କ୍ଷେତ୍ରରେ କଡ଼ା ଚେତାବନୀ ଜାରି କରାଯାଇଥିବା ସତ୍ତ୍ୱେ କୌଣସି ମିଲକୁ କଳା ତାଲିକାଭୁକ୍ତ କରାଯାଉନାହିଁ କାହିଁକି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର କୋରାପୁଟ ଜିଲ୍ଲାର ଖରିଫ ଋତୁ ଧାନ କ୍ରୟ ବେଳେ ଜିଲ୍ଲାକୁ ଗସ୍ତ କରି ସମୀକ୍ଷା କରିଥିଲେ । ସେତେବେଳ ଗଣମାଧ୍ୟମ ପ୍ରଶ୍ନରେ କହିଛନ୍ତି କିଛି ଅଞ୍ଚଳରେ କଟନି ଛଟନି ହେଉଛି ଆଗାମୀ ଦିନରେ ଧିରେ ଧିରେ ସମ୍ପୁର୍ଣ୍ଣ ବନ୍ଦ କରାଯବ । ଚଳିତ ବର୍ଷ ଡିଏଲପିସି ବୈଠକରେ ଜିଲ୍ଲାରେ ୭୩ ଟି ମଣ୍ଡିରୁ ଧାନ କ୍ରୟ କରାଯିବ ବୋଲି ଘୋଷଣା ହୋଇଥିଲା । ଜୟପୁର ଉପଖଣ୍ଡ ରେ ୬୪ ଏବଂ କୋରାପୁଟ ଉପଖଣ୍ଡରେ ୯ ଟି ମଣ୍ଡି ଖୋଲାଯିବା ସହ ରବି ଋତୁରେ ୮ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମୁଖ୍ୟ ଯୋଗାଣ ଅଧିକାରୀ କହିଥିଲେ । ଧାନ ମଣ୍ଡି ପାଇଁ ଆବଶ୍ୟକୀୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବର୍ତ୍ତମାନ ତାହା କାର୍ଯ୍ୟକାରିତା ହେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ କୋହଲା ପାଗ ଜାରି ରହିଥିବା ବେଳେ ଯେକୌଣସି ସମୟରେ ବର୍ଷା ହେବାର ଆଶଙ୍କା ରହିଛି । ମଣ୍ଡିରେ ପକାଇଥିବା ଧାନକୁ କିପରି ସୁରକ୍ଷିତ ରଖିବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ ।