ଜାଣିବା ତୁଳସୀ କି ଉପକାରରେ ଆସେ!

ଜାଣିବା ତୁଳସୀ କି ଉପକାରରେ ଆସେ!

ତୁଳସୀ ଚଉରା ପ୍ରତ୍ୟେକଙ୍କର ଘର ଅଗଣାରେ ରହିଥାଏ। କାରଣ ଏହା ଘର ପରିବେଶକୁ ପବିତ୍ର କରିବା ସହ ଗୃହରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ କରାଇଥାଏ। କୌଣସି କାମରେ ଘରୁ ବାହାରିବା ସମୟରେ ତୁଳସୀ ଚଉରା ମୂଳେ ମୁଣ୍ଡିଆ ମାରି ଗଲେ ଉକ୍ତ କାମଟି ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି। ତା’ଛଡ଼ା ଏହି ଗଛର ଅନେକ ଔଷଧୀୟ ଗୁଣ ବି ଅଛି। ତେବେ ତୁଳସୀ ଆମର ଆଉ କ’ଣ ଉପକାରରେ ଆସେ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଯଦି କାହାକୁ ତୁଳସୀ ଗଛର ମୂଳ ମିଳେ, ତା’ହେଲେ ତାକୁ ଗୋଟିଏ ଡେଉଁରିଆରେ ରଖି ଦେହରେ ଧାରଣ କଲେ ଶୁଭଫଳ ମିଳିଥାଏ। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଗଲାବେଳେ ସାଙ୍ଗରେ ସେହି ଡେଉଁରିଆକୁ ନେଇଗଲେ କାମଟି ସୁରୁଖୁରୁରେ ହୋଇଯାଏ ବୋଲି ଜ୍ୟୋତିର୍ବିଦ୍‌ମାନେ ମତ ଦେଇଥାନ୍ତି।

ଘରର ଡାହାଣପଟେ ତୁଳସୀ ବଗିଚା କରିବା ଅତ୍ୟନ୍ତ ଶୁଭ ଲକ୍ଷଣ ହୋଇଥାଏ। ଏହାଦ୍ୱାରା ଘରର ସଦସ୍ୟଙ୍କୁ ଅମ୍ଳଜାନ ମଧ୍ୟ ପ୍ରଚୁର ମିଳିଥାଏ।

ତୁଳସୀ ମୂଳର ମାଟି ମୁଣ୍ଡରେ ଲଗାଇ ବାହାରକୁ ଯିବା ବି ଶୁଭ ହୋଇଥାଏ। ଏପରିକି କୁହାଯାଏ, ଛୋଟ ପିଲାଙ୍କ ମୁଣ୍ଡରେ ତୁଳସୀ ମାଟି ଲଗାଇଲେ ସେମାନଙ୍କୁ କାହାରି ଖରାପ ନଜର ଲାଗେନାହିଁ।

ସେହିପରି କୁହାଯାଏ, ପ୍ରତିଦିନ ଯେଉଁ ବ୍ୟକ୍ତି ସୁଧପୂତ ହୋଇ ମାତ୍ର ୭ଟି ତୂଳସୀ ପତ୍ର ଚୋବାଇ ଖାଇଥାନ୍ତି, ତାଙ୍କୁ ଥଣ୍ଡା, କାଶ, କଫ ଜନିତ ରୋଗ ପ୍ରାୟତଃ ହୁଏନାହିଁ। ତା’ଛଡ଼ା ତାଙ୍କଠାରେ ଉଦର ଜନିତ ରୋଗ ବି ଖୁବ୍‌ କମ୍‌ ଦେଖାଯାଇଥାଏ।