ଅପରାଧୀ ଉପରମୁହାଁ ସରକାର ଉପାୟଶୂନ୍ୟ: ବିଜେଡ଼ି

 ଭୁବନେଶ୍ୱର : ନାରୀ ନିର୍ଯାତନାକୁ ନେଇ ସମଗ୍ର ରାଜ୍ୟ ଉଦ୍ୱିଗ୍ନ ଥିଲାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଘଟଣାରେ ପୁଲିସ୍ ଏତଲା ଗ୍ରହଣ ନ କରିବା ଉଦ୍ବେଗଜନକ ବୋଲି କହିଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା ଟୁକୁନି ସାହୁ କହିଛନ୍ତି ଯେ, ବିଜେପି ସରକାରରେ ରାଜ୍ୟରେ ମହିଳାମାନେ କୌଣସି କ୍ଷେତ୍ରରେ ସୁରକ୍ଷିତ ନାହାନ୍ତି  । ପ୍ରତିଦିନ ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଘଟଣା ପାଇଁ ଓଡିଶା ଦେଶରେ ନିନ୍ଦିତ ହେଉଛି । ଦଳର ମୁଖପାତ୍ର ଇପ୍ସୀତା ସାହୁ କହିଥିଲେ ଯେ, ବିଜେପି ସରକାରରେ ମହିଳା ଓ ଛାତ୍ରୀମାନେ ପ୍ରତ୍ୟେକ ଦିନ ନିର୍ଯାତନାର ଶିକାର ହେଉଥିବା ବେଳେ ଯାଜପୁର ଜିଲ୍ଲାରେ ଏକ ଅଭାବନୀୟ ନାରୀ ନିର୍ଯାତନାର ଖବର ସାମ୍ନାକୁ ଆସିଛି  । ବିଜେପି ସଂଖ୍ୟାଲଘୁ ସେଲର ସଭାପତିଙ୍କ ପନôୀଙ୍କୁ ତାଙ୍କ ଝିଅ ସାମ୍ନାରେ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ପୁଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କର ଏତଲାକୁ ପୁଲିସ୍ ଏ ପର୍ଯ୍ୟନ୍ତ ଗ୍ରହଣ କରୁନାହିଁ । ଏଥିରୁ ଜଣାପଡୁଛି ଧର୍ମଶାଳା ବିଧାୟକଙ୍କ ଧନବଳ ଆଗରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀ ଅସହାୟ ହୋଇପଡିଛନ୍ତି  । ସେହିପରି ଦଳର ମୁଖପାତ୍ର ସୋଫିଆ ଆଲାମ କହିଥିଲେ ଯେ, ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନେ ନିର୍ଯାତନାର ଶିକାର ହୋଇ ଥାନାର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ  । ଏଠି ଅପରାଧୀ ଉପରମୁହାଁ ହୋଇଥିବା ବେଳେ ସରକାର ଉପାୟଶୂନ୍ୟ ହୋଇପଡିଛନ୍ତି ।