ବ୍ରହ୍ମପୁର +୨ଛାତ୍ରୀଙ୍କୁ ଗଣକୁକର୍ମ ମାମଲା ; ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ
ବ୍ରହ୍ମପୁର : ୨୦୨୪ ମସିହା ମେ ମାସରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ବ୍ୟାଚଲର ରୁମରେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣକୁକର୍ମ ମାମଲାର ଆଜି ଶୁଣାଣି ହୋଇଛି । ଆଜି ସ୍ୱତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଏହି ମାମଲାର ଗୁରୁତ୍ୱପୂର୍ଣ ରାୟ ପ୍ରକାଶ କରିଛନ୍ତି । ୬ ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ବୈଦ୍ୟନାଥପୁର ଥାନା ଇଲାକାର ଜଣେ +୨ ନାବାଳିକା ଛାତ୍ରୀ ଗତ ୨୦୨୪ ମେ ୩ତାରିଖରେ ଜଣେ ସାଙ୍ଗକୁ ଭେଟିବାକୁ ଯାଇଥିଲେ । ସେଠାରୁ ଫେରି ଛାତ୍ରୀ ଜଣଙ୍କ ଅପରାହ୍ଣରେ ହିଲପାଟଣା ଠାରେ ନିଜ ବାପାଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ରୁତୁନ ଯିଏକି ଛାତ୍ରୀଙ୍କ ସହ ପରିଚିତ ଥିଲା ସେଠାରେ ପହଞ୍ଚି ଏକୁଟିଆ କାହିଙ୍କି ଛିଡା ହୋଇଛ ବୋଲି କହି ରୁତୁନ ସମ୍ପୃକ୍ତ ନାବାଳିକାଙ୍କୁ ତାଙ୍କ ଘରକୁ ଯିବାକୁ ଡାକିଥିଲେ । ଏବଂ ନାବାଳିକା ଜଣଙ୍କ ମଧ୍ୟ ରୁତୁନଙ୍କ ସହ ଯାଇଥିଲେ । ତେବେ ସେଠାରେ ପହଞ୍ଚି ତାହା ଘର ନୁହେଁ ଏକ ବ୍ୟାଚେଲର୍ ମେସ୍ ବୋଲି ଜାଣିବାକୁ ପାଇଥିଲେ । ଏ ନେଇ ପ୍ରଶ୍ନ କରିବାରୁ ରୁତୁନ ତାଙ୍କୁ କିଛି ମୃଦୁ ପାନୀୟ ପିଇବାକୁ ଦେଇ ମା’ଙ୍କୁ ଡାକି ଆଣୁଛି ବୋଲି କହି ଚାଲି ଯାଇଥିଲେ । କିଛି ସମୟ ପରେ ରୁତୁନ ନିଜର ୫ରୁ ୬ଜଣ ସାଙ୍ଗଙ୍କୁ ସାଙ୍ଗରେ ନେଇ ଆସିଥିଲେ ଏବଂ ସେତେବେଳେ ନାବାଳିକା ଜଣଙ୍କ ଚେତାଶୂନ୍ୟ ହୋଇ ପଡିଥିଲେ । ତାଙ୍କୁ ମୃଦୁ ପାନୀୟରେ କିଛି ନିଶା ଔଷଧ ଦିଆଯାଇଥିବା ପୁଲିସ ଅନୁମାନ କରୁଛି । ପରେ ଜଣେ ପରେ ଜଣେ ରାତି ୧୦ଟା ପର୍ଯ୍ୟନ୍ତ ସମ୍ପୃକ୍ତ ନାବାଳିକାଙ୍କ ସହ କୁକର୍ମ କରିଥିଲେ । ନାବାଳିକା ଜଣଙ୍କ ଅଚେତ ଅବସ୍ଥାରୁ ଫେରି ସାମାନ୍ୟ ଠିକ୍ ହେବାରୁ ରୁତୁନ ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ନାବାଳିକାଙ୍କୁ ଧମକ୍ ଦେବା ସହ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ୍ ଦେଇଥିବା ନେଇ ଅଭିଯୋଗ ହୋଇଥିଲା ।
ନାବାଳିକା ଜଣକ ଘଟଣା ବିଷୟରେ ପରିବାର ଲୋକଙ୍କୁ କହିବା ପରେ ଗତ ୫ ତାରିଖରେ ପୀଡିତାଙ୍କ ପରିବାରବର୍ଗ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଘଟଣାରେ ସମ୍ପୃକ୍ତ ରୁତୁନ, ରୁଦ୍ର, ଅଭିଳାଷ, ଆକାଶ ଓ ଜୁମନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ବ୍ରହ୍ମପୁର ସ୍ୱତନ୍ତ୍ର ପୋକସୋ ଅଦାଲତର ଜଜ୍ ପ୍ରଣତି ପଟ୍ଟନାୟକଙ୍କ ଆଜି ଏହି ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ ।