କିଏ ଧରିବ କେନ୍ଦୁଝର ଜିଲା ବିଜେପି ମଙ୍ଗ?
ଆନନ୍ଦପୁର : ବିଜେପିରେ ଚାଲିଛି ସାଂଗଠନିକ ନିର୍ବାଚନ । ମଣ୍ଡଳ ସଭାପତିଙ୍କ ନାମ ଘୋଷଣା ସରିଥିବାବେଳେ ଏବେ ଜିଲ୍ଲା ସଭାପତିଙ୍କ ଉପରେ ନଜର ରହିଛି । ଏସବୁ ଭିତରେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତିକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । କାହିଁକିନା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି । କେନ୍ଦୁଝର ଜିଲ୍ଲାର ଯିଏ ବିଜେପି ସଭାପତି ହେବେ ତାଙ୍କର ପତିଆରା ବଢ଼ିବା ନିଶ୍ଚିତ । ଯେଉଁଥିପାଇଁ କେନ୍ଦୁଝର ଜିଲ୍ଲା ମଙ୍ଗ ଧରିବା ପାଇଁ ବିଜେପି ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏକଦା ସାଇନବୋର୍ଡ ପାର୍ଟିର ଅପଖ୍ୟାତି ରଚିଥିବା ବିଜେପି ଚବିଶରେ ନିଜ ଦମରେ ସରକାର ଗଢ଼ିବାରେ ସକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିଜ କେନ୍ଦୁଝର ଜିଲ୍ଲାରୁ କିଏ ଜିଲ୍ଲା ସଭାପତି ହେବେ ସେନେଇ ସାରା ରାଜ୍ୟର ଦୃଷ୍ଟି ରହିବା ସ୍ୱାଭାବିକ । ଜିଲ୍ଲାରେ ସମସ୍ତ ବୁଥ ସ୍ତରୀୟ ସହିତ ସମସ୍ତ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା ସରିଥିବା ବେଳେ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ପୂର୍ବରୁ ସମ୍ଭବତଃ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବାର ସମ୍ଭାବନା ଅଧିକ ରହିଛି । ଇତିମଧ୍ୟରେ ସଦସ୍ୟତା ସଂଗ୍ରହ ଅଭିଯାନ, ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା, ମଣ୍ଡଳ ସଭାପତି ଚୟନ ପ୍ରକ୍ରିୟା ଶେଷ ହୋଇଥିବାରୁ ଅନେକ ନୂତନ ଏବଂ ପୁରାତନ ନେତା ଜିଲ୍ଲା ସଭାପତି ପଦ ପାଇଁ ଆଶାୟୀ ଅଛନ୍ତି । ଚଳିତ ଥର ସଭାପତି ପାର୍ଥô ଚୟନ ସବୁ ଦିଗକୁ ବିଚାରକୁ ନେଇ ନିଷ୍ପତ୍ତି ହେବା ନିଶ୍ଚିତ । କେନ୍ଦୁଝର ବିଜେପି ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଜିଲ୍ଲାର ଟାଣୁଆ ନେତା ତଥା ତିନି ତିନିଥରର ସାଂସଦ ଏବଂ ପୂର୍ବରୁ ଦୁଇ ଦୁଇ ଥର ଜିଲ୍ଲା ସଭାପତି ଦାୟିତ୍ୱ ନିର୍ବାହ କରିଥିବା ସାଂସଦ ଅଭିଜ୍ଞ ଅନନ୍ତ ନାଏକଙ୍କୁ ଦାୟିତ୍ୱ ମିଳିପାରେ । ସେହିପରି ଯଦି ଆନନ୍ଦପୁର କଥା ବିଚାରକୁ ନିଆଯାଏ ତେବେ ରାମଚନ୍ଦ୍ରପୁରର ପୂର୍ବତନ ବିଧାୟକ କ୍ଷୀରୋଦ ପ୍ରସାଦ ସ୍ୱାଇଁ ଦଳର ପ୍ରଥମ ଜିଲ୍ଲା ସଭାପତି ହେବାର ଗୌରବ ଅର୍ଜନ କରିଥିଲେ । ଏହା ପରଠାରୁ ଆନନ୍ଦପୁର ଉପଖଣ୍ଡରେ କେହି ଜିଲ୍ଲା ସଭାପତି ହେବାର ଗୌରବ ଅର୍ଜନ କରିନାହାନ୍ତି । ତେବେ ଆନନ୍ଦପୁର ନିର୍ବାଚନମଣ୍ଡଳୀରୁ ବରିଷ୍ଠ ନେତା ଆଲୋକ ସେଠୀଙ୍କ ନାମକୁ ନେଇ ବି ଚର୍ଚ୍ଚା ହେଉଛି । ତେବେ ସେ କହିଛନ୍ତିଯେ, ସେ କୌଣସି ରେସରେ ନାହାନ୍ତି । ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ । ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେବ ସେ ନିଷ୍ଠାର ସହିତ ପାଳନ କରିବେ ବୋଲି କହିଥିଲେ । ସେହିପରି ଘସିପୁରା ନିର୍ବାଚନମଣ୍ଡଳୀରୁ ଶ୍ରୀଧର କର, ପୃଥ୍ୱୀରାଜ କୁଅଁର, କେନ୍ଦୁଝରରୁ ରାଧାକାନ୍ତ ମହାନ୍ତ, ପାଟଣାରୁ ମମିତା ନାଏକ, ଚମ୍ପୁଆରୁ ମୁରଲୀ ଶର୍ମା, ଦିଲ୍ଲୀପ ମିଶ୍ର, ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ବରିଷ୍ଠ ଆଇନଜୀବୀ ବିରଜା ମିଶ୍ରଙ୍କ ନାମକୁ ନେଇ ବି ଚର୍ଚ୍ଚା ହେଉଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
