ଏକା ରାତିକେ ୩ ଚୋରି

 ଯାଜପୁର ଟାଉନ :  ଏନସି କଲେଜ ରୋଡ଼ ଲଳିତେଶ୍ୱର ନଗରରେ ଗୋଟିଏ ରାତିରେ ଦୁବୃର୍ତ୍ତ କବାଟ ଭାଙ୍ଗି ୩ଟି ଘରୁ କଳା କନା ବୁଲାଇଛନ୍ତି । କଲେଜ ରୋଡ଼ରେ ଗୁଗୁଲୀ ହୋଟେଲର ମାଲିକ ଅମ୍ବିକା ମଣ୍ଡପ ନିକଟରେ ରହୁଥିବା ଭଡ଼ା ଘରେ ସପରିବାରେ ଏକ ମୃତିକା କାମରେ ଗ୍ରାମକୁ ଯାଇଥିବା ବେଳେ ଏହାର ସୁଯୋଗରେ ଦୁବୃର୍ତ୍ତ ଘରର କବାଟ ଓ ଗ୍ରୀଲ୍ କାଟି ଆଲମିରା ତାଢ଼ି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଅର୍ଥ ଓ ଆସବାସ ପତ୍ର ଲୁଟି ନେଇଛନ୍ତି । ଲିଖିତ ଅଭିଯୋଗକୁ ଭିତି କରି ଯାଜପୁର ପୁଲିସ ଏକ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ସେହି ନିକଟସ୍ଥ ଅଂଚଳରେ ଆଉ ୨ଟି ଘରୁ ଏକା ରାତିରେ ଚୋରି ହୋଇଥିବା ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗ ପାଇଲା ପରେ ଟାଉନ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା । ଘରେ କେହି ନଥିବାର ସୁଯୋଗ ନେଇ ଦୁବୃର୍ତ୍ତ ଚୋରି କରିଥିବା କୁହାଯାଉଥିବା ବେଳେ ପ୍ରଚଣ୍ଡ ଗରମ ଯୋଗୁ ଲୋକେ ଏସି ରୁମରେ ଶୋଇଥିବା ବେଳେ ପଦାର ଶବ୍ଦ ତାଙ୍କ କାନରେ ବାଜି ନଥିଲା । ଏହାର ସୁଯୋଗ ନେଇ ଦୁବୃର୍ତ୍ତ ଏବେ ଚୋରି କରୁଥିବା ଦେଖିବାକୁ ମିଳିଛି । ଯାଜପୁର ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ୩ଟି ମାମଲା କରାଯାଇଥିବା ବେଳେ ଏସ୍ଆଇ ମହମ୍ମଦ ସୁରଜ, ଏସ୍ଆଇ ସଂଯୁକ୍ତା ବେହେରା, ଏସ୍ଆଇ ତୃପ୍ତିମୟୀ ରାଉତ ଘଟଣାର ତଦନ୍ତ କରୁଛନ୍ତି ।