ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ

 ବିଶୋଇ : ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ସାରସକଣା ନିର୍ବାଚନ ମଣ୍ଡଳୀସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ ବିଶୋଇ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସାରସକଣା ବିଧାୟକ ଭାଦଭ ହାଁସଦା ଉଦ୍ଘାଟନ କରିଥିଲେ । ବିଜେପି ସାଂଗଠନିକ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଝୁରିଲାଲ ମହନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀକୁ ଜିଲ୍ଲା ଉପସଭାପତି ତାପସ ଦତ୍ତ ମଞ୍ଚ ସଞ୍ଚାଳନ କରିଥିଲେ । ଝୁରିଲାଲ ମହନ୍ତ ସ୍ୱାଗତ ଭାଷଣରେ ସମ୍ମିଳନୀର ଲକ୍ଷ୍ୟ, ଉଦେ୍ଦଶ୍ୟ ସମ୍ପର୍କରେ ଉପସ୍ଥିତ ସଦସ୍ୟଙ୍କୁ ଅବଗତ କରାଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି ଯୋଗ ଦେଇ ଓଡ଼ିଶା ରାଜନୀତିରେ ଦଳର ଉତ୍ଥାନ ସମ୍ପର୍କରେ ଆଲୋକପାତ କରିଥିବାବେଳେ ବିଧାୟକ ଭାଦଭ ହାଁସଦା ଆଗାମୀ ଦିନରେ କିଭଳି ଭାବେ ଓଡ଼ିଶା ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚôବା ସହ ସମସ୍ତେ ଯୋଜନାର ଲାଭ ଉଠାଇ ପାରିବେ ତାକୁ ନେଇ ସମସ୍ତ ସକ୍ରିୟ ସଦସ୍ୟମାନଙ୍କୁ ନିବେଦନ କରିଥିଲେ । ସମ୍ମିଳନୀରେ ବିଶୋଇ, ବିଜାତଳା, କୁସୁମୀ, ସାରସକଣା ବ୍ଲକର ଶତାଧିକ ସକ୍ରିୟ ସଦସ୍ୟମାନେ ସାମିଲ ହୋଇଥିଲେ । ଏହି ଅବସରରେ ବିଶୋଇ ମଣ୍ଡଳ ସଭାପତି ବନମାଳୀ ଗିରି, ମଣଦା ମଣ୍ଡଳ ସଭାପତି ପ୍ରଭାତ ରଂଜନ ଗିରି, ଝାରପଖୋରିଆ ମଣ୍ଡଳ ସଭାପତି ରାଜେନ୍ଦ୍ର ବିନ୍ଧାଣି, ସାରସକଣା ମଣ୍ଡଳ ସଭାପତି ପ୍ରବୀର ମହାନ୍ତଙ୍କୁ ଅତିଥିମାନେ ମଞ୍ଚ ଉପରେ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।