ବିଶ୍ୱକର୍ମା ତାଲିମପ୍ରାପ୍ତଙ୍କୁ ସରଞ୍ଜାମ ମିଳିବ କେବେ? 

ନିଶ୍ଚିନ୍ତକୋଇଲି : ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ଗ୍ରାମାଞ୍ଚଳରେ ନିଜ ନିଜର କର୍ମ କରି ଆସୁଥିବା ଯଥା କୁମ୍ଭକାର, ବାରିକ, ରଜକ, ବଢେଇ, କୈବର୍ତ୍ତ, ରାଜମିସ୍ତ୍ରୀମାନଙ୍କୁ ସାମିଲ କରିବା ପରେ ସେମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିଲା । ନିଜ ନିଜର ଦକ୍ଷତା ପରଖିବା ପାଇଁ ଅନ୍ଲାଇନ ମାଧ୍ୟମରେ ଆବେଦନ କରିବା ପରେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ୭ ଦିନ ପ୍ରଶିକ୍ଷଣ ନେବା ପାଇଁ ମୋବାଇଲ୍କୁ ଫୋନ୍ ଆସିବା ପରେ ଅବିଭକ୍ତ କଟକ ଜିଲ୍ଲାରୁ ବିଭିନ୍ନ ପର୍ଯ୍ୟାୟରେ ୫ ଶହରୁ ଊଦ୍ଧ୍ୱର୍ ବ୍ୟକ୍ତି ନିଜ ନିଜର କର୍ମ ଉପରେ ଜଗତପୁର ସ୍ଥିତ ଶ୍ରୀଜଗନ୍ନାଥ ଇନଷ୍ଟିଚୁ୍ୟଟରୁ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷଣ ନେବା ସମୟରେ ଖାଦ୍ୟପେୟ, ପାରିଶ୍ରମିକ ଓ ଯାତାୟାତ ପାଇଁ ମୋଟ ୬୨୫୦ ଟଙ୍କା ଜମାଖାତାକୁ ୧୫ ଦିନ ଭିତରେ ଯିବ ବୋଲି କହିବା ସହ ଆନୁଷ୍ଠାନିକ ସାମଗ୍ରୀ ଯଥା ବିଭିନ୍ନ ପେଶା ପାଇଁ ବିଭିନ୍ନ ସରଞ୍ଜାମ ଯୋଗାଇ ଦିଆଯିବ ବୋଲି କହିଥିଲେ । ଛଅ ମାସ ଭିତରେ ଆବଶ୍ୟକ ସାମଗ୍ରୀ ନ ମିଳିଲେ ବ୍ଲକରେ କାର୍ଯ୍ୟରତ ଶିଳ୍ପ ବିକାଶ ଅଧିକାରୀ ନତୁବା କଟକ ଜିଲ୍ଲା ଅଧିକାରୀଙ୍କୁ ଜଣାଇବା ପାଇଁ ବାରମ୍ବାର ପ୍ରଶିକ୍ଷଣ ନେଉଥିବା ପିଲାମାନଙ୍କୁ କହିଥିଲେ । ହେଲେ ପରିତାପର ବିଷୟ ୨୦୨୪ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ନେଇଥିବା ବହୁ ପିଲାମାନେ ସଂପୂର୍ଣ୍ଣ ଅର୍ଥ ପାଇନଥିବାବେଳେ ଅଦ୍ୟାବଧି ଗତ ନଭେମ୍ବର ମାସ ୧୧ ରୁ ୧୯, ୧୯ରୁ ୨୮, ପିଲାମାନଙ୍କର କୌଣସି ସେଲୁନ, ପାର୍ଲର, ବିଶ୍ୱକର୍ମା, କାର୍ପେଣ୍ଟର, କୁମ୍ଭକାର, କୈବର୍ତ୍ତ ସାମଗ୍ରୀ ଗୁଡିକ ଅଦ୍ୟାବଧି ଆସିନାହିଁ । ଏ ସଂପର୍କରେ ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷାର୍ଥୀମାନେ ବ୍ଲକ ଆଇପିଓଙ୍କୁ ଯୋଗାଯୋଗ କରୁଥିଲେ ବି ଆଇପିଓଙ୍କ ଦେଖା ନ ମିଳିବା ପରିତାପର ବିଷୟ । ସୂଚନାଯୋଗ୍ୟ ଯେ, ଅଭିଯୋଗ ସଂପର୍କରେ ନିଶ୍ଚିନ୍ତକୋଇଲି ବ୍ଲକ ଆଇପିଓ ଏବଂ ଜିଲ୍ଲା ଶିଳ୍ପ ଅଧିକାରୀଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇ ପାରିନଥିଲା ।