ଧାନ ଏମ୍ଏସ୍ପି ବୃଦ୍ଧିକୁ ରାଜ୍ୟ ବିଜେପିର ସ୍ୱାଗତ
ଭୁବନେଶ୍ୱର : ଚାଷୀମାନେ ହେଉଛନ୍ତି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ । ପ୍ରଧାନମନ୍ତ୍ରୀ ଭାବେ ମୋଦି ଦେଶର ଦାୟିତ୍ୱ ନେବା ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୩୧୦ ଟଙ୍କା ଥିଲା । ମୋଦି ସରକାରଙ୍କ ୧୧ ବର୍ଷର ଶାସନ ଭିତରେ ଏହାକୁ କ୍ରମାଗତ ଭାବେ ବୃଦ୍ଧି କରାଯାଇ କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଟଙ୍କା ଓ ଗ୍ରେଡ୍ ଏ ଧାନର ମୂଲ୍ୟ ୨୩୮୯ କରାଯିବା ନିଷ୍ପତ୍ତି ଚାଷୀକୁଳ ପାଇଁ ଆଶ୍ୱସ୍ଥି ଆଣିଦେଇଛି । ସେହିପରି ଆଜି କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ସୁଧ ରିହାତି ବଜାୟ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦେଶରେ ୭.୭୫ କୋଟିରୁ ଅଧିକ ଚାଷୀ କିଷାନ କ୍ରେଡିଟ୍ କାର୍ଡ ଉପରେ ନିର୍ଭରଶୀଳ ଥିବାବେଳେ ସେମାନଙ୍କୁ ବିନା କୌଣସି ଗ୍ୟାରେଣ୍ଟିରେ ମାତ୍ର ୪% ସୁଧରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଏହା କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀଙ୍କ ପାଇଁ ଏକ ବଡ ଲାଭ ହେବ । ଆଜି କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ଧାନ ସମେତ ଅନ୍ୟାନ୍ୟ ୧୭ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଥିବାରୁ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଜିର ଏହି ନିଷ୍ପତ୍ତି ଫଳରେ ଧାନର ଏମଏସପି ୬୯ଟଙ୍କା ବୃଦ୍ଧି କରାଯାଇ କ୍ୱିଂଟାଲ ପିଛା ୨୩୬୯ ଟଙ୍କା ଏବଂ “ଏ” ଗ୍ରେଡ ଧାନର ମୂଲ୍ୟ କ୍ୱିଂଟାଲ ପିଛା ୨୩୮୯ ଟଙ୍କା ହୋଇଛି ବୋଲି ସେ କହିଛନ୍ତି । ସେହିପରି ବିଭିନ୍ନ ଡାଲି ଓ ତୈଳବୀଜ ଚାଷର ଏମ୍ଏସ୍ପି ବୃଦ୍ଧି କରାଯାଇଥିବାରୁ ଏହାକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ।