ଶୁବମନ ଟେଷ୍ଟ କ୍ୟାପଟେନ୍
ମୁମ୍ବାଇ: ରୋକୋ (ରୋହିତ-କୋହଲି)ଙ୍କ ଅବସର ପରେ ଟେଷ୍ଟ କ୍ରିକେଟର ମଙ୍ଗ ଧରିବେ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍ । ଟିମ୍ ଇଣ୍ଡିଆର ୩୭ତମ ଟେଷ୍ଟ କ୍ୟାପଟେନ୍ ହେବାର ସେ ସୌଭାଗ୍ୟ ଲାଭ କରିଛନ୍ତି । ଅପରପକ୍ଷରେ ଋଷଭ ପନ୍ତଙ୍କୁ ଭାଇସ୍ କ୍ୟାପଟେନ୍ କରାଯାଇଛି । ଆଗାମୀ ଇଂଲଣ୍ଡ ଟୁରରେ ଗିଲ୍ ଟେଷ୍ଟ ଟିମର ଅଧିନାୟକ ଭାର ସମ୍ଭାଳିବେ । ଆଜି ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବରିଷ୍ଠ ଚୟନକର୍ତ୍ତା କମିଟି ବୈଠକରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ଜୁନ୍ ୨୦ରୁ ଭାରତ ଇଂଲଣ୍ଡରେ ୫-ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି । ଗିଲଙ୍କ ପ୍ରଦର୍ଶନ ଓ ଡ୍ରେସିଂ ରୁମରେ ତାଙ୍କର ସକରାତ୍ମକ ଆଭିମୁଖ୍ୟ ପାଇଁ ତାଙ୍କୁ କ୍ୟାପଟେନ୍ କରାଯାଇଛି ବୋଲି ଅଗରକର କହିଛନ୍ତି । ମାତ୍ର ୨୫ ବର୍ଷ ବୟସରେ ଅନ୍ୟତମ କନିଷ୍ଠ କ୍ୟାପଟେନ୍ ହେବାର ସେ ସୌଭାଗ୍ୟ ପାଇଛନ୍ତି ।