ବିଜେପି ପକ୍ଷରୁ ଚାରାରୋପଣ
ଭୁବନେଶ୍ୱର : ମହାନ ସ୍ୱାଧୀନତା ସଂଗ୍ରମାୀ ତଥା ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନକୁ ସ୍ମରଣୀୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାପକ ଚାରାରୋପଣ ପାଇଁ ଆହ୍ୱାନ ଦେଇଛନ୍ତି । ଏହି କ୍ରମରେ ଓଡିଶାରେ ବ୍ୟାପକ ଚାରାରୋପଣ କରିବାକୁ ବିଜେପି କୃଷକ ମୋର୍ଚ୍ଚା ଲକ୍ଷ୍ୟ ରଖିଛି । ଅଗଷ୍ଟ ୧୫ ସୁଦ୍ଧା ଓଡିଶାର ସବୁ ଗାଁରେ ୧୦ ଲକ୍ଷ ବୃକ୍ଷ ଚାରାରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏ ଉପଲକ୍ଷେ ଜଗନ୍ନାଥ ମହାପ୍ରଭୁଙ୍କ ନେତ୍ର ଉତ୍ସବ ଅବସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସରଦେଇପୁର ଦୋଳ ମେଳଣ ପଡିଆଠାରେ ଆଜି ଚାରାରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ବୃକ୍ଷ ଚାରା ରୋପଣ କରିଥିଲେ । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଏହାର ନେତୃତ୍ୱ ନେଇ ସବୁଜ ଓଡିଶା ଗଢ଼ି ତୋଳିବାକୁ ବ୍ୟାପକ ଚାରାରୋପଣ ଜରୁରି ବୋଲି କହିଥିଲେ । ଆଜିର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁଙ୍କ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।