ଆଧୁନିକ ଯୁଗରେ ହଜିଗଲାଣି ଅତୀତ : ଆଉ ଦେଖିବାକୁ ମିଳୁନି ଝାମ୍ପି ଦୃଶ୍ୟ
ାା ତାଳଚେରରୁ ଅକ୍ଷୟ କୁମାର ।ା
ଆଧୁନିକ ଯୁଗରେ ହଜିଗଲାଣି ଅତୀତ । ଆଉ ଦେଖିବାକୁ ମିଳୁନି ଝାମ୍ପି । ଚାଷବାସ କ୍ଷେତ୍ରରେ ହେଉ କିମ୍ବା ଦୂରସ୍ଥାନକୁ ଯାତ୍ରା ହେଉ ସେମାନଙ୍କର ଏକମାତ୍ର ବିକଳ୍ପ ଥିଲା ଝାମ୍ପି । ଗ୍ରୀଷ୍ମ ଓ ବର୍ଷାଋତୁର ଆଗମନକୁ ନେଇ ଚାଷକାର୍ଯ୍ୟ ନିମନ୍ତେ ଝାମ୍ପି ମୁଣ୍ଡାଇ କାର୍ଯ୍ୟ କରୁଥିଲେ ଚାଷୀ । ଗ୍ରୀଷ୍ମଋତୁର ଖରା ଓ ବର୍ଷା ଦାଉରୁ ରକ୍ଷା ପାଇବାକୁ ଏହାକୁ ବହୁଳ ବ୍ୟବହାର କରୁଥିଲେ । କିନ୍ତୁ ଆଧୁନିକ ଯୁଗରେ ଆଉ ଦେଖିବାକୁ ମିଳୁନି ଝାମ୍ପି । ଯୁଗ ବଦଳିବା ସହିତ ସମୟ ମଧ୍ୟ ବଦଳୁଛି । ଏହାର ବ୍ୟବହାରିତା ଏବେ ଲୋପ ପାଇଗଲାଣି । ଗାଁ ଗଣ୍ଡା ହେଉକି ସହରାଞ୍ଚଳ ଆଉ କାହା ମୁଣ୍ଡରେ ଝାମ୍ପିର ଦୃଶ୍ୟମାନ ହେଉନାହିଁ । ଫଳରେ ଗାଁ ବ୍ୟବସାୟୀମାନେ ଯେଉଁ ଝାମ୍ପି ତିଆରି କରି ସହର ଓ ହାଟ ବଜାରରେ ବିକି୍ର କରି ନିଜର ଓ ପରିବାର ଗୁଜୁରାଣ ମେଣ୍ଟାଉଥିଲେ, ସେମାନେ ଏବେ ଏହି ବ୍ୟବସାୟରୁ ନିବୃତ୍ତ ହୋଇ ଘରେ ବସି ରହିଛନ୍ତି । ଯାହାଫଳରେ ତାଙ୍କର ପୂର୍ବପୁରୁଷର କୌଳିକ ବୃତ୍ତିକୁ ମଧ୍ୟ ହରାଇଛନ୍ତି । ଏପରି ଅନେକ ଦୃଷ୍ଟାନ୍ତ ମଧ୍ୟ ଗାଁ ଗହଳି ଗୁଡ଼ିକରେ ରହି ଆସିଛି ।
ଆଧୁନିକ ଯୁଗରେ ଦେଶର ଯେତେ ଅଗ୍ରଗତି ହେଉଛି, ସେତିକି ତୁଳନାରେ ପୂର୍ବ ପୁରୁଷଙ୍କ ବୃତ୍ତି ମଧ୍ୟ ହଜିବାରେ ଲାଗିଛି । ବର୍ତ୍ତମାନ ପ୍ଲାଷ୍ଟିକ ସାମଗ୍ରୀରେ ଘରର ବିଭିନ୍ନ ଉପକରଣ ମାନ କଳକାରଖାନା ମାନଙ୍କରେ ନିର୍ମିତ ହେଉଛି ଓ ସେଗୁଡ଼ିକ ହସ୍ତଶିଳ୍ପ ମୂଲ୍ୟ ଠାରୁ ଢ଼େର ଅଳ୍ପ ମୂଲ୍ୟରେ ବଜାରଘାଟରେ ବିକି୍ର କରାଯାଉଛି । ଯାହା ଫଳରେ ଗାଁ ବ୍ୟବସାୟୀମାନେ ନିଜର ପାରିଶ୍ରମିକ ମୂଲ୍ୟ ପାଇପାରୁନାହାନ୍ତି । ଯଥା ବାଉଁଶ, ବରଡ଼ା, ଖଜୁରୀପାଲୁ ବିଭିନ୍ନ ଜଙ୍ଗଲଜାତ ଗଛରେ ନିର୍ମିତ ଘର ଉପକରଣମାନ ଡ଼ଲା, କୁଲା, ଟୋକେଇ, ଝାମ୍ବି, ବିଛଣା, ଝାଡ଼ୁ, ମଶିଣା, ଗଉଣୀ, ଡ଼ୁଲି, ଟାଟି, ଧାନ ଚାଉଳ ରଖିବା ସାମଗ୍ରୀ ପ୍ରାୟ ଗାଁ ଲୋକଙ୍କର ହସ୍ତ ତିଆରି ଜିନିଷ ଗୁଡ଼ିକ ଏବେ ଆଉ ଦେଖିବାକୁ ମିଳୁନାହିଁ । ଏଗୁଡ଼ିକ ତିଆରି କରିବାରେ ଦିନ ଦିନ ଲାଗିଯାଇଥାଏ । ଯାତ୍ରା ଗହଳିରେ ସେମାନେ ଏହି ସାମଗ୍ରୀକୁ ବିକି୍ର କରିବା ପାଇଁ ବର୍ଷ ତମାମ୍ ପରିଶ୍ରମ କରିଥାନ୍ତି । ଆଧୁନିକ ଯୁଗରେ କପଡ଼ା ଛତା, ରେନିକୋର୍ଟ, ରେଶମ କପଡ଼ା ଛତା ଇତ୍ୟାଦି ବ୍ୟବହାରିକ ଯୋଗୁଁ ଝାମ୍ପିର ଚାହିଦା ନଥିବାରୁ ଏସବୁ ସାମଗ୍ରୀ ମଧ୍ୟ ଲୋପ ପାଇଗଲାଣି । ଗାଁ ବ୍ୟବସାୟୀଙ୍କ କହିବା କଥା ସାମଗ୍ରୀକ ମୂଲ୍ୟ କମ ହୋଇଥାଇ ପାରେ କିନ୍ତୁ ପରିଶ୍ରମର ମୂଲ୍ୟ କାହା ପାଖରେ ନାହିଁ, ଯାହା ଆଜି ଜଳଜଳ ହୋଇ ଦିଶୁଛି । ତେଣୁ ସେମାନେ ବାଧ୍ୟ ହୋଇ ନିଜ ପୂର୍ବପୁରୁଷ କୌଳିକ ବୃତ୍ତିକୁ ହରାଇବା ସହ ଘରେ ହାତବାନ୍ଧି ବସି ରହୁଛନ୍ତି । ତେଣୁ ସରକାର ଏହି ଗାଁ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତି ଧ୍ୟାନ ଦେଲେ ପୁଣି ସେମାନଙ୍କ ବାଣିଜ୍ୟ ହସି ଉଠିବ ବୋଲି ପ୍ରକୃତିପ୍ରେମୀଙ୍କ ମହଲରେ ଚର୍ଚ୍ଚା ହେଉଛି ।