ସମ୍ବଲପୁରରେ ବବି-ମୁକୁ ଲଢେଇ

ସମ୍ବଲପୁର ରାଜାରାମ ପାଢ଼ୀ : ଏଥର ସମ୍ବଲପୁରରେ ହେବ ଓଡିଶା ରାଜନୀତିର ମହାଟକ୍କର । ଗୁରୁତ୍ୱପୂର୍ଣ୍ଣ ସମ୍ବଲପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଚାରୋଟି ସମ୍ବଲପୁର ଜିଲ୍ଲାରେ ରହିଛି । ଲୋକସଭା ଆସନ ପାଇଁ ବିଜେଡ଼ି ପକ୍ଷରୁ ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାଶ (ବବି) ଏବଂ ବିଜେପି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଚୂଡ଼ାନ୍ତ କରାଯାଇଛି । ଉଭୟଙ୍କ ସମର୍ଥକମାନେ ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି । ଦୁଇ ବରିଷ୍ଠ ନେତା ବର୍ତ୍ତମାନ ସ୍ଥିତି ପରଖୁ ଥିବା ଅନୁମାନ କରାଯାଉଛି । ବବି ଏବଂ ଧର୍ମେନ୍ଦ୍ର ଦୀର୍ଘ ସମୟ ହେଲା ସମ୍ବଲପୁର ଲୋକସଭା ଆସନକୁ ନଜରରେ ରଖି କାର୍ଯ୍ୟ କରୁଥିଲେ । ଉଭୟ ନେତା କେଉଁ ଦଳର କେଉଁଠି କେତେ ଭୋଟ ଅଛି ସେ ବିଷୟରେ ବେଶ ଭଲ ଭାବେ ଅନୁଶୀଳନ କରିଛନ୍ତି । ତେଣୁ ସମ୍ବଲପୁରରେ ରୋଚକ ଲଢ଼େଇ ହେବା ନିଶ୍ଚିତ ହୋଇଯାଇଛି ।
ବିଧାନସଭା ନିର୍ବାଚନମଣ୍ଡଳୀର ଗଣିତ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଏ । ତେଣୁ ସମ୍ବଲପୁର ଲୋକସଭା ଆସନ ଅଧିନରେ ଥିବା ସମ୍ବଲପୁର ଜିଲ୍ଲାର ୪ ବିଧାନସଭା ନିର୍ବାଚନୀମଣ୍ଡଳୀରେ ମଜବୁତ୍ ଓ ସୁଦୃଢ଼ ଭିତ୍ତିଭୂମି ଥିବା ବିଧାୟକଙ୍କୁ ଟିକେଟ ଦେବାକୁ ପଡ଼ିବ ।
ହେଲେ ଯାଇ ନିର୍ବାଚନ ଲଢ଼େଇ ସହଜ ହେବ ଏବଂ ଜିତିବାରେ ସହାୟକ ହେବ ବୋଲି ବିଜେପି ଓ ବିଜେଡ଼ି ନେତାମାନେ ଜାଣିଛନ୍ତି । ସେଥିପାଇଁ ଏହି ଚାରି ବିଧାନସଭା ଆସନରେ ଉପଯୁକ୍ତ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରାଯିବ । ଏଥିପାଇଁ କସରତ ଆରମ୍ଭ ହୋଇଛି । ଏଥିପାଇଁ ସାଧାରଣ ଭୋଟର ଏବଂ ଦଳୀୟ ସମର୍ଥକମାନେ ଅଙ୍କକଷା ଆରମ୍ଭ କରିଛନ୍ତି । ଧର୍ମେନ୍ଦ୍ର ଏବଂ ବବି ଗ୍ରାଉଣ୍ଡ ଜିରୋର ସ୍ଥିତି ଏବଂ ଆଶାୟୀ ପ୍ରାର୍ଥୀଙ୍କ ଲୋକପ୍ରିୟତାକୁ ଆଧାର କରି ବିଧାୟକ ପ୍ରାର୍ଥୀ କରିବାକୁ ଚାହିଁବା ସ୍ୱାଭାବିକ । ହେଲେ ଏଥିରେ ବିଳମ୍ବ ହେଉଥିବାରୁ ନିରପେକ୍ଷ ସମର୍ଥକମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜୟୀ ହୋଇଥିଲେ । ସେହିଭଳି ଜିଲ୍ଲାର ଚାରୋଟି ବିଧାନସଭା ଆସନ ମଧ୍ୟରୁ ସମ୍ବଲପୁରରେ ବିଜେପିର ଜୟନାରାୟଣ ମିଶ୍ର ଚତୁର୍ଥ ଥର ପାଇଁ ନିର୍ବାଚନ ଜିଣିଥିଲେ । ରେଙ୍ଗାଲିରେ ନାଉରୀ ନାୟକ ବିଜେପିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ରେଢ଼ାଖୋଲରୁ ବିଜେପି ଟିକଟରେ ତକ୍ରାଳୀନ ବିଧାୟକ ରୋହିତ ପୂଜାରୀ ଏବଂ କୁଚିଣ୍ଡାରୁ ବିଜେଡ଼ିର କିଶୋରଚନ୍ଦ୍ର ନାୟକ ବିଧାୟକ ହୋଇଥିଲେ । ବର୍ତ୍ତମାନ ବିଜୟ ସମ୍ଭାବନାକୁ ଦେଖି ଦଳମାନେ ପ୍ରାର୍ଥୀ ଦେବେ । ତେବେ ବର୍ତ୍ତମାନ ବିଧାୟକ ଥିବା ବିଜେପି ପ୍ରାର୍ଥୀମାନଙ୍କ ନାମ ଟିକେଟ ଦୌଡ଼ରେ ଆଗରେ ରହିଛି । ସେହିଭଳି ରେଢ଼ାଖୋଲରେ ରୋହିତ ପୂଜାରୀ ବିଜେଡ଼ି ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି । ତେବେ ତାଙ୍କୁ ଯଦି ବିଜେଡ଼ି ସମ୍ବଲପୁର ବିଧାନସଭା ଆସନ ପାଇଁ ଟିକଟ ଦେବ ରେଢ଼ାଖୋଲରେ କିଏ ପ୍ରାର୍ଥୀ ହେବେ ତାହା ସମୟ କହିବ । ସେହିଭଳି ସମ୍ବଲପୁରରେ ବିଜେଡ଼ିର ଦାବିଦାରଙ୍କ ସଂଖ୍ୟା କମ୍ ନୁହେଁ । ଗତ ଥର ତକ୍ରାଳୀନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ବିଧାନସଭା ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ।