ଅନୁକରଣ ପ୍ରେମରେ ଓଡ଼ିଆ
ବିଭୁ ପ୍ରସାଦ ନାଥ : ଅନୁକରଣ ଏକ ସ୍ୱଜାତ ପ୍ରକ୍ରିୟା । ଅନୁକରଣ ଦ୍ୱାରାହିଁ ମଣିଷ ଅନେକ କିଛି ଶିଖିଥାଏ । ଯଦିଓ ଏହା ଏକ ପାରମ୍ପରିକ ପ୍ରକ୍ରିୟା ତଥାପି ଏହାର ବର୍ଜନ ଭାଷା ଓ ସଂସ୍କୃତି କ୍ଷେତ୍ରରେ ହେବା ଜରୁରି । ଓଡ଼ିଆ ଜାତିର ପରିଚୟ ତାର ଭାଷା । ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପେ ଆମ ରାଜ୍ୟ ଓଡ଼ିଶାର ସୃଷ୍ଟି ହୋଇଥିଲା । ରାଜ୍ୟ ଗଠନ ହେବାର ପ୍ରାୟ ସତୁରି ବର୍ଷରୁ ଅଧିକ ସମୟ ବିତିଗଲାଣି ତଥାପି ଏ ଭାଷାର ସୁରକ୍ଷାକୁ ନେଇ ଏବେବି ପ୍ରଶ୍ନବାଚୀ । ଭାଷାରେ ଅନୁକରଣ, ସଂସ୍କୃତିରେ ଅନୁକରଣ, ଜୀବନଶୈଳୀରେ ଅନୁକରଣ କରି ଆଜି ଆମେ ସମସ୍ତେ କୋଉଠିନା କୋଉଠି ଆମ ସମାଜର ନିଜତ୍ୱକୁ ହରେଇ ଦେଉଛେ ।
ଭାଷା ବିଜ୍ଞାନରେ ଆମେ ଅନେକ ଥର ପଢ଼ିଛେ ଯେ ସମୟର ସ୍ରୋତରେ ଭାଷାରେ ଅନେକ ବୈଦେଶିକ ଶବ୍ଦର ମିଶ୍ରଣ, ଅନେକ ଅପଭ୍ରଂଶ ହୋଇଥାଏ । କିନ୍ତୁ ମୋ ଓଡ଼ିଆ ଭାଷା ଏଥିରେ ଏତେ ଆଗୁଆ ରହିଛି ଯେ ଏଥିରେ ପ୍ରତ୍ୟେକ ବର୍ଷ କିଛିନା କିଛି ପରିବର୍ତ୍ତନ ହେଉଥିବାର ପରିଲକ୍ଷିତ ହେଉଛି । ଏମିତି କି ପର୍ବପର୍ବାଣି ସମୟରେ ଅନେକ ଶବ୍ଦ ନିଜେ ନିଜେ ସୃଷ୍ଟି ହୋଇଯାଆନ୍ତି । ଗତ ଦଶହରାରେ ସମସ୍ତଙ୍କ ପାଖରେ ସ୍ମାର୍ଟ ମୋବାଇଲ ହ୍ୱାଟ୍ସଆପ୍ର ପ୍ରତ୍ୟେକ ଅଭିନନ୍ଦନ ମେସେଜରେ “ହାପିପୂଜୋ”ର ଅଭିନନ୍ଦନ ମେସେଜ ଥିଲା । ପ୍ରକୃତରେ ନୂତନ ଉଦାହରଣ ସୃଷ୍ଟି କଲା । ଓଡ଼ିଆ ଅଭିଧାନରେ ପୁଜୋ ଶବ୍ଦ ରହିଛି କି ନାହିଁ ମୁଁ ଜାଣେନା ହେଲେ ମୁଁ ଏତିକି ଜାଣେ ଏହା ଏକ ଫ୍ୟାସନ ।“ ହାପୀ ଦସେରା” ବାଃରେ ଓଡ଼ିଆ ଦଶହରାକୁ ହଜେଇ ଦେଲ । ଓଡ଼ିଆର ସ୍ୱରବର୍ଣ୍ଣ ଉଚ୍ଚାରଣକୁ ସବୁଦିନ ପାଇଁ ହଜେଇ ଦେଉଛ! ରାଜ୍ୟ ବାହାରକୁ ଗଲେ ଓଡ଼ିଆ ଓଡ଼ିଆକୁ ଦେଖିଲେ ହିନ୍ଦୀ କଥା ହୁଅନ୍ତି । ଏହା କେବେ ବି ଆମେ ଅନ୍ୟ ରାଜ୍ୟର ଲୋକଙ୍କ ପାଖରେ ଦେଖୁନାହୁଁ । ପ୍ରତ୍ୟେକ ରାଜ୍ୟ ଓ ଅଂଚଳର ଲୋକମାନେ ସେମାନଙ୍କ ଭାଷା ଓ ଉଚ୍ଚାରଣକୁ ନେଇ ଗର୍ବ କରିଥାନ୍ତି । କିନ୍ତୁ ଓଡ଼ିଆ ମାନଙ୍କର ଭାଷା ପ୍ରେମ ପ୍ରକୃତରେ ବିରଳ । ଆଜିର ଭାଷାବିତ୍ କେବଳ ଆତ୍ମ ଅଧ୍ୟୟନରେ ସମୟ ବିତାଉଥିବା ବେଳେ ଓଡ଼ିଆ ଭାଷା ସୁରକ୍ଷାକୁ ନେଇ ଚିନ୍ତା କରିବାରେ ବହୁ ପଛୁଆ । ଓଡ଼ିଆ ଏକ ପ୍ରାନ୍ତୀୟ ବୋଲିରୁ ଓଡ଼ିଆ ଭାଷାର ସୃଷ୍ଟି ହେବାର ଯାତ୍ରା ଅତ୍ୟନ୍ତ ସଂଘର୍ଷମୟ ଥିଲା । ଓଡ଼ିଶାର ଭାଷାବିତ୍, ଲେଖକ ଓ କବିମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏହି ଭାଷାକୁ ସୁନ୍ଦର ରୂପ ପ୍ରଦାନ କରିବାରେ ସଫଳ ହୋଇଥିଲା କିନ୍ତୁ ଆଜି ଓଡ଼ିଆ ଭାଷା ସଂକଟରେ ।
ନିଜର ପରମ୍ପରାକୁ ଭୁଲି ଆଧୁନିକତା ତଥା ବିଦେଶୀ ସଂସ୍କୃତିର ସଂସ୍ପର୍ଶରେ ଆସି ଯେଉଁଭଳି ଭାବରେ ଆମେ ନିଜର ଅତୀତର ସ୍ୱର୍ଣ୍ଣିମ ପରମ୍ପରାକୁ ଭୁଲି ଯାଉଛେ ତାହା ପ୍ରକୃତରେ ହୃଦୟ ବିଦାରକ । ଆଜି ପରମ୍ପରା ଓ ପର୍ବପର୍ବାଣିର ସ୍ୱଦେଶୀପଣ ହଜିଯିବାକୁ ବସିଲାଣି । ଅନୁକରଣ ଦ୍ୱାରା ଆମେ ସମସ୍ତେ ଜୀବନଚର୍ଯ୍ୟାରେ କିଛିନା କିଛି ପରିବର୍ତ୍ତନ କରିଛେ ସତ କିନ୍ତୁ ଆଉ ସେ ସ୍ୱଦେଶୀପଣର ବାସ୍ନା ବାରି ହେଉନାହିଁ । ଓଡ଼ିଆ ଭାଷାକୁ ହିନ୍ଦୀପରି କୋମଳ ଉଚ୍ଚÿାରଣ କରି ଭାଷାର ମର୍ଯ୍ୟାଦାକୁ ଆମେ ଆମେ ଧୀରେ ଧୀରେ ହଜେଇ ଦେବାକୁ ବସିଲେଣି । ଏଭଳି ଉଚ୍ଚାରଣ କରି ନିଜକୁ ଧନ୍ୟମନେ କରୁଥିବା ବ୍ୟକ୍ତିମାନେ ପ୍ରକୃତରେ ସ୍ୱଳ୍ପଜ୍ଞାନସମ୍ପନ୍ନ ।
ଆଜି ବିହାରର ଲିଟ୍ଟି ଚୋଖା ଓଡ଼ିଶାରେ ବିକ୍ରିହେବାକୁ ଲାଗିଲାଣି କିନ୍ତୁ ଆମ ଓଡ଼ିଆ ପିଠାର ବଜାରୀକରଣ ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ବିଦେଶୀ ସଂସ୍କୃତି ଓ ଭାଷାର ଅବଲୋକନ କଲେ କୌଣସି ଅସୁବିଧା ନାହିଁ କିନ୍ତୁ ଏହାକୁ ନିଜ ଜୀବନଚର୍ଯ୍ୟାରେ ସାମିଲ୍ କରିବା ପ୍ରକୃତରେ ସ୍ୱଦେଶୀ ଚେତନାକୁ ଆଘାତ ସୃଷ୍ଟିକରୁଛି ।
ଅନୁକରଣ ପ୍ରେମରେ ଆମେ ଏତେ ପାଗଳ ଯେ ବିହାରର ଛଟପୂଜାକୁ ଆମ ସଂସ୍କୃତିରେ ସାମିଲ୍ କରିବାକୁ ଚେଷ୍ଟା କଲେଣି କିନ୍ତୁ ଓଡ଼ିଆ ସଂସ୍କୃତିର ତିଥି, ବାର, ବ୍ରତ ଏବେ ବୋଝହେବାକୁ ଲାଗିଲାଣି । ଆମେ ଓଡ଼ିଆ ପ୍ରକୃତରେ ଅନୁକରଣରେ ବହୁତ୍ ଆଗୁଆ । ଆମ ହୋଟେଲମାନଙ୍କରେ ଦେଶୀଓଡ଼ିଆ ଖାଦ୍ୟର ମେନୁ ନଥିଲେ ମଧ୍ୟ ଉତ୍ତର ଭାରତର ସମସ୍ତ ଖାଦ୍ୟ ଉପଲବ୍ଧ ରହିଥାଏ । କାହିଁକି କେଜାଣି ଏହି ଓଡ଼ିଶାରେ ରହି ଓଡ଼ିଆ ଲୋକମାନଙ୍କ ପ୍ରତିଏତେ ଘୃଣା- ପ୍ରକୃତରେ ବୁଝିବା କଷ୍ଟକର ।
ଆଜି ମଧ୍ୟ କୋଉଠିନା କୋଉଠି ଭିନ୍ନ ଭାଷାଭାଷୀଙ୍କ ପ୍ରତି ଆମ ମନରେ ଯଥେଷ୍ଟ ପ୍ରେମ ରହିଛି । ସେମାନଙ୍କ ସହ କଥା ହୋଇ ଆମେ ନିଜକୁ ଗର୍ବ ଅନୁଭବ କରୁ । ବହୁଭାଷୀହେବା ଆମ ସମସ୍ତଙ୍କୁ ଆବଶ୍ୟକ କିନ୍ତୁ ଭାଷାର ଶଙ୍କରୀକରଣ ପ୍ରକୃତରେ ଦୁଃଖଦେଉଛି । ଆଜି ବିଦ୍ୟାଳୟସ୍ତରର ବିଜ୍ଞାନର ବିଷୟ ଗୁଡ଼ିକ ଧୀରେ ଧୀରେ ଇଂରାଜୀ ଛାଟରେ ଓଡ଼ିଆ ଲିପିରେ ଲେଖାଯାଉଛି କାହିଁକିନା ଏହାକୁ ଅନୁବାଦ କରିବାରେ ଆମର ଭାଷାବିଜ୍ଞାନୀ ମାନେ ବିଫଳ । ଯଦି ହିନ୍ଦୀ, କନ୍ନଡ, ମଲ୍ଲାୟାଲମ୍ ଭାଷାରେ ବିଜ୍ଞାନ ଲେଖିବା ପାଇଁ ପାରିଭାଷିକ ଶବ୍ଦାବଳୀର ସ ୃଷ୍ଟି କରାଯାଇ ପାରୁଛି ତେବେ ଓଡ଼ିଆ ଭାଷାରେ କାହିଁକି ହୋଇପାରିବନାହିଁ? ଆମର ଭାଷାବିତ୍ମାନେ ଏଭଳି ପ୍ରୟାସ ନକରିବା ଦୁର୍ଭାଗ୍ୟଜନକ । କେବଳ ଇଂରାଜୀ ଭାଷାର ସାହାଯ୍ୟରେ କାମଚଳା ଭାଷାପ୍ରୟୋଗ ଏବଂ ଆଲେଖ୍ୟ ଓଡ଼ିଆ ଭାଷା ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି । ବିଦେଶୀ ଭାଷା ଓ ସଂସ୍କୃତି ପ୍ରତି ଦୁର୍ବଳତା କେବଳ ଓଡ଼ିଆ ମାନଙ୍କ ଭିତରେ କାହିଁକି ସୃଷ୍ଟିହୁଏ ମୁଁ ଜାଣିନାହିଁ କିନ୍ତୁ ଗୋଟିଏ ସତ୍ୟ ଯେ ଆମେ ନିଜର ସ୍ୱାଭିମାନର ଜଳାଞ୍ଜଳି ଦେଇସାରିଛେ ଯାହା ଫଳରେ ଆଜି ଓଡ଼ିଆ ଭାଷା ଓ ସଂସ୍କୃତି ିବିପର୍ଯ୍ୟସ୍ତ । ଓଡ଼ିଶା ପରି ଏକ ଶାନ୍ତିପ୍ରିୟ ରାଜ୍ୟରେ ଅସାମାଜିକ ତତ୍ତ୍ୱଙ୍କ ସଂଖ୍ୟା ବଢ଼ି ଚାଲିଛି । ଯେଉଁ ବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ ଆଜି ସମ୍ପୂର୍ଣ୍ଣ ଭାରତର ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି ସେମାନଙ୍କ ସଂଖ୍ୟା ଓଡ଼ିଶାରେ ଅଧିକ । ଓଡ଼ିଆ ଜାତିଭିତରେ ସହିଷ୍ଣୁତାର ଉପଯୋଗ ନକାରାତ୍ମକ ଉପାୟରେ ହୋଇଚାଲିଛି ।
ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷାର ସଂରକ୍ଷଣ ବର୍ତ୍ତମାନ ସମୟର ଆହ୍ୱାନ ପାଲଟିଛି । ଆଜି ମଧ୍ୟ ଅନେକ ଇଂରାଜୀ ମାଧ୍ୟମସ୍କୁଲରେ ଓଡ଼ିଆ ଭାଷାକୁ ସ୍ଥାନିତ କରାଯାଉନାହିଁ । ଯଦି ସରକାର ଏହାକୁ ବିଧିବଦ୍ଧ ଭାବେ ଯାଞ୍ଚକରି ଚିହ୍ନଟ କରନ୍ତେ ତାହେଲେ ହୁଏତ ଓଡ଼ିଆ ପିଲାମାନେ ମାତୃଭାଷାଠାରୁ ବଞ୍ଚିତ ହୁଅନ୍ତେ ନାହିଁ ।
ଓଡ଼ିଆ ଭାଷା ପ୍ରତ୍ୟେକ ଓଡ଼ିଆର ପରିଚୟ ଏହାକୁ ସ୍ୱୀକାର କରିବାକୁ ହେବ । ଆମ ରାଜ୍ୟର ପରମ୍ପରା ପ୍ରତ୍ୟେକ ରାଜ୍ୟଠାରୁ ଭିନ୍ନ । ଏହି ପରମ୍ପରାର ସ୍ୱଦେଶୀପଣକୁ ଆମକୁ ବଜାୟ ରଖିବାକୁ ହେବ । ଅନୁକରଣର ପ୍ରକ୍ରିୟାକୁ ଯଦି ମନ୍ଥର କରିଦିଆ ଯାଆନ୍ତା ତେବେ ହୁଏତ ଓଡ଼ିଆଜାତି ନିଜର ଅସ୍ତିତ୍ୱକୁ ସାଇତି ରଖିପାରନ୍ତା । ଅନୁକରଣ ଦ୍ୱାରା ନିଜର ନିଜସ୍ୱ ପରମ୍ପରା, ବେଶଭୂଷାକୁ ଭୁଲି ଆମେ ସମସ୍ତେ ଯେଉଁ ଅଜଣା ପଥର ବାଟୋଇ ସାଜିଛେ ତାହା ପ୍ରକୃତରେ ଶୁଭଙ୍କର ନୁହେଁ । ଶେଷରେ ଏତିକି କାମନା ଭାଷାବିତ୍ଙ୍କ କଲମ ଝରି ଉଠୁ, ଓଡ଼ିଆ ଭାଷା ସଂରକ୍ଷଣର ସଂଗ୍ରାମ ଜାରିରହୁ । ଓଡ଼ିଆ ଅସ୍ମିତାର ଅଗ୍ନି ପ୍ରଜ୍ୱଳିତ ହେଉ । ସ୍ୱଦେଶ ସ୍ୱରାଜ୍ୟର ଭାବନା ଜାଗ୍ରତ ହେଉ ।
କେନ୍ଦ୍ରାପଡା
ମୋ:- ୭୮୫୫୯୭୯୬୨୦