କେଶ କଳା କରିବ ଏହି ସୁପରଫୁଡ୍

ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ଖରାପ ଲାଇଫଷ୍ଟାଇଲ ହେତୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହ ଏହାର ପ୍ରଭାବ କେଶ ଓ ଚର୍ମରେ ପଡୁଛି । ଫଳରେ ମୁହଁରେ ବ୍ରଣ ହେବା, କେଶ ପାଚିବା ଓ ଝଡିବା ସମସ୍ୟା ଆଦି ଦେଖାଯାଏ । ତେବେ ଆଜିକାଲି ଯୁବପିଢିଙ୍କ କେଶ ପାଚିବା ଏକ ମୁଖ୍ୟ ସମସ୍ୟା ହୋଇଗଲାଣି । କମ୍ ବୟସରୁ ଯୁବକ ଓ ଯୁବତୀମାନେ କେଶ ରଙ୍ଗ କରାଉଛନ୍ତି । ବିଶେଷଜ୍ଞଙ୍କ ମତରେ ଭିଟାମିନ୍ ବି-୧୨ ଅଭାବ ଯୋଗୁଁ କେଶ ଧଳା ହୋଇଥାଏ । ଏଥସହ କେଶ ଝଡ଼ି ଶୁଷ୍କ ହୋଇଯାଏ ଓ ଧୂସର ଦେଖାଯାଏ । କେଶକୁ ସୁସ୍ଥ ଏବଂ ଧୂସର ହେବାରୁ ରକ୍ଷା କରିବା ପାଇଁ କ୍ୟାଲସିୟମ, ଭିଟାମିନ୍ ଡି-୩, କପର, ଜିଙ୍କ ଏବଂ ଆଇରନ ପରି ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏସବୁ ପୋଷକ ତତ୍ତ୍ୱ କେଉଁ ପ୍ରକାର ଖାଦ୍ୟରେ ଭରପୁର ମାତ୍ରାରେ ରହିଛି ।
ଗାଜର: ଗାଜରରେ ପ୍ରଚୁର ମାତ୍ରାରେ କାରୋଟିନଏଡ, ପୋଟାସିୟମ, ଭିଟାମିନ-ଏ ଏବଂ ଭିଟାମିନ-ଇ ପରି ପୋଷକ ତତ୍ତ୍ୱ ଭରି ରହିଛି । ଏସବୁ ଖାଦ୍ୟ କେଶ ପାଚିବାରୁ ରକ୍ଷା କରିବା ସହ କେଶକୁ ମଜଭୁତ କରାଇଥାଏ । ପ୍ରତ୍ୟେକ ଦିନ ଗାଜର ଖାଇବା ଦ୍ୱାରା ପାଚିଲା କେଶ ସମସ୍ୟା ଧିରେ ଧିରେ ହ୍ରାସ ପାଇବା ସହିତ ମୁଖରେ ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ । ଏହା ଦୃଷ୍ଟିଶକ୍ତି ଲାଗି ମଧ୍ୟ ଉପକାରୀ । ।
ଫୁଲକୋବି: ଫୁଲକୋବିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି । ଏଥିରେ ପ୍ରୋଟିନ, କ୍ୟାଲସିୟମ, ଫସଫରସ, ଭିଟାମିନ- ଏ ଏବଂ ଭିଟାମିନ-ସି ଉପାଦାନ ରହିଛି । ଏସବୁ ଉପାଦାନ କେଶକୁ ମୂଳରୁ ମଜଭୁତ କରିବା ସହିତ କେଶକୁ କଳା ଓ ଘନ କରାଇଥାଏ । କେଶ ଝଡିବା ସମସ୍ୟା ମଧ୍ୟ ହ୍ରାସ ପାଏ ।
ଆଲମଣ୍ଡ: ସ୍ମରଣଶକ୍ତି ବୃଦ୍ଧି କରିବା ଲାଗି ବିଶେଷ କରି ଆଲମଣ୍ଡ ଖିଆଯାଏ । ଏହା ମସ୍ତିଷ୍କକୁ ସୁସ୍ଥ କରିବା ସହ କେଶକୁ କଳା କରିଥାଏ । ଆଲମଣ୍ଡ ତେଲ କେଶରେ ଲଗାଇବା ଦ୍ୱାରା କେଶ କଳା ହୋଇ ରୁକ୍ଷତା ଦୂର ହୋଇଥାଏ ।
ଭିଟାମିନ ବି-୧୨:ଶରୀରରେ ନୂତନ କୋଷ ଗଠନ ହେବା ଲାଗି ଭିଟାମିନ ବି୧୨ ଆବଶ୍ୟକ ହୋଇଥାଏ । ଏହାର ଅଭାବ ହେତୁ କେଶ ଧୂସର ହୋଇ ଧିରେ ଧିରେ ପାଚିବାକୁ ଲାଗିଥାଏ । ଏପରି ପୋଷକ ତତ୍ତ୍ୱ ମାଛ, ମାଂସ, କଲିଜା, ଅଣ୍ଡା, କମଳା ଲେମ୍ବୁ, ଚିଜ୍, ଛତୁ, କ୍ଷୀର ଏବଂ ପନୀରରେ ପ୍ରଚୁର ମାତ୍ରାରେ ରହିଥାଏ ।ଅଣ୍ଡା:ଅଣ୍ଡାରେ ଅନେକ ପୋଷକ ତିତ୍ୱ ଥିବାରୁ ଏହା ଶରୀର ପାଇଁ ଲାଭଦାୟକ । ଅଣ୍ଡା ଖାଇବା ଦ୍ୱାରା କେଶ ପାଚିବା ହ୍ରାସ ପାଇବା ସହ କେଶ ମଜବୁତ ହୁଏ । ଏଣୁ କେଶକୁ ସୁନ୍ଦର ଓ ଶୁଷ୍କତାରୁ ରକ୍ଷା କରିବା ଲାଗି ଅନେକ ଅଣ୍ଡା ହେୟାର୍ ପ୍ୟାକ୍ କରି ମୁଣ୍ଡରେ ଲଗାଇଥାନ୍ତି । ଏହା ମୁଣ୍ଡକୁ ଥଣ୍ଡା କରିବା ସହ କେଶରେ ଚମକ ଆଣି ନରମ କରିଥାଏ ।