ହାଇଟେକ୍ ସୋସାଇଟିରେ ଏସି ଫାଟି, ଜଳିଗଲା ଫ୍ଲାଟ୍

ହାଇଟେକ୍ ସୋସାଇଟିରେ ଫାଟିଲା ଏସି। ହେଲା ଭୟଙ୍କର ବିସ୍ଫୋରଣ। ଦେଖୁ ଦେଖୁ ହୁ ହୁ ହୋଇ ଜଳିଗଲା ଫ୍ଲାଟ୍। ଉତ୍ତରପ୍ରଦେଶର ନଏଡା ସେକ୍ଟର-୧୦୦ ଲୋଟ୍ସ୍ ବ୍ଲୁବାର୍ଡ ସୋସାଇଟିରେ ଘଟିଛି ଏଭଳି କିଛି ଦୁର୍ଘଟଣା।
ହଠାତ୍ ଏସି ତଥା ଏୟାର କଣ୍ଡିସନର୍ରେ ବିସ୍ଫୋରଣ ଘଟି ସମଗ୍ର ଫ୍ଲାଟରେ ନିଆଁ ଲାଗିଯାଇଥିଲା। ପରେ ଏହା ଦେଖୁ ଦେଖୁ ସୋସାଇଟିରେ ଥିବା ଅନ୍ୟ ଫ୍ଲାଟଗୁଡିକରେ ବି ବ୍ୟାପି ଯାଇଥିଲା। ଏହାକୁ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ। ପ୍ରଭାବିତ ଫ୍ଲାଟରୁ ପ୍ରବଳ ଧୂଆଁ ବାହାରୁଥିବାରୁ ନିକଟସ୍ଥ ଫ୍ଲାଟରେ ରହୁଥିବା ଲୋକମାନେ ଭୟରେ ଫ୍ଲାଟ ଛାଡି ଦୌଡି ଥିଲେ।
ସେପଟେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଫ୍ଲାଟରେ ନିଆଁ ଲାଗିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସ ସୂଚନା ମୁତାବକ, ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନାହିଁ। ତେବେ ପ୍ରବଳ ଗରମ ଓ ଖରା ଯୋଗୁ ଏସି ଫାଟିଥିବା କୁହାଯାଉଛି।