ବିଜେପି ନେତାଙ୍କୁ ବଦଳି ଝଟ୍‌କା

Odisha BJP

ବିଜେପି ନେତାଙ୍କୁ ବଦଳି ଝଟ୍‌କା

ମନ୍ତ୍ରୀ ଓ ବିଧାୟକ ଆଶ୍ୱସ୍ତ

ଭୁବନେଶ୍ୱର : ‘ବଦଳି ଓ ପୋଷ୍ଟିଂ ପାଇଁ ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ’  । ମୁଖ୍ୟ ଶାସନ ସଚିବଙ୍କ ଏହି ପଦିଏ କଥା ସରକାରୀ କର୍ମଚାରୀଙ୍କୁ ଯେତିକି ଝଟକା ଦେଇଛି ତା’ଠୁ ବେଶୀ ଝଟକା କିଛି ମାମଲତକାର ବିଜେପି ନେତାଙ୍କୁ ଦେଇଛି  । ଆଉ ମୁଖ୍ୟ ସଚିବଙ୍କ ଚିଠି ଏବେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଆଶ୍ୱସ୍ତ କରିଦେଇଛି  । 

ବିଜେପି ସରକାରକୁ ଆସିବା ପରେ ବହୁଦିନ ଧରି କ୍ଷମତା ଭୋକରେ ଥିବା କିଛି ବିଜେପି ନେତା ବେଶ୍‌ ଉତପାତ ଆରମ୍ଭ କରିଦେଇଥିଲେ  । କିଏ କହିଲେ ମୁଁ ଅମୁକ ମନ୍ତ୍ରୀଙ୍କ ସାଙ୍ଗ ତ କିଏ କହିଲେ ଅମୁକ ମନ୍ତ୍ରୀଙ୍କ ଆଗଧାଡ଼ିର କର୍ମୀ  । ଆଉ କେତେକ ମଣ୍ଡଳ ଓ ଜିଲ୍ଲା ସଭାପତିମାନେ ବି ପତିଆରା ବିସ୍ତାର କରିବାରେ ଲାଗିପଡ଼ିଲେ  । ସେମିତି କିଛି ପଦପଦବୀ କି କ୍ଷମତାରେ ନଥିଲେବି ଗାଡ଼ି ଆଗରେ ଅମୁକ ମୋର୍ଚ୍ଚା ସଭାପତି, ସମୁକ ମୋର୍ଚ୍ଚା ସମ୍ପାଦକ ବୋଲି ବଡ଼ ବଡ଼ ନେମପ୍ଳେଟ ବି ମାରିଚାଲିଲେ  । ବିଜେପି ସରକାର ଆସୁଆସୁ କିଛି ନେତାଙ୍କ ଗାଡ଼ି ଆଗରେ ପଦ୍ମଫୁଲ ପତାକା ଓ ଷ୍ଟିକର ବି ଲାଗିଲା  । ସେହିପରି ସାଧାରଣରେ ସରକାର ଓ ଦଳ ପକ୍ଷରୁ ଗୋଟିଏ ଭିନ୍ନ ଧାରଣା ଦିଆଗଲା  । ଏଣିକି ଆଉ ବାବୁରାଜ୍‌ ନୁହେଁ ଏଣିକି ଚାଲିବ ନେତାଙ୍କ ଶାସନ  । ଅର୍ଥାତ୍‌ ବାବୁଙ୍କ ପାଖରେ ଆଉ କିଛି କାମ ନାହିଁ  । ନେତାଙ୍କୁ ଧରିଲେ କାମ ଶହେ ପ୍ରତିଶତ ହେବା ଥୟ ବୋଲି ଗୋଟିଏ ଧାରଣା ବି ତିଆରି ହେଲା  । ସରକାର ବଦଳିଛି ଓ ଢାଞ୍ଚା ବଦଳିଛି ବୋଲି ସ୍ପଷ୍ଟ ହେବାପରେ ଛୋଟମୋଟ ସବୁ ନେତା ନିଜ ନିଜ ପତିଆରା ବିସ୍ତାର ଆରମ୍ଭ କରିଦେଇଛନ୍ତି  । 

କିଏ ସିଧାସଳଖ ଠିକାଦାରୀ ଆରମ୍ଭ କଲେଣି ତ ଆଉ କିଏ ଚାନ୍ଦା ଆଦାୟରେ ଲାଗି ପଡ଼ିଛନ୍ତି  । ଆଉ କିଏ ବଦଳି ଓ ପୋଷ୍ଟିଂ ପାଇଁ ସରକାରୀ କର୍ମଚାରୀଙ୍କ ଠାରୁ ମାଲ୍‌ ପକାଇ ଲବି କରିବାରେ ବ୍ୟସ୍ତ ରହିଲେ  । କେତେକ ବିଧାୟକ ବି ଏହି କାମରେ ଲାଗିପଡ଼ିଲେ  । ବଦଳି ଓ ପୋଷ୍ଟିଂ ପାଇଁ ସିଧାସଳଖ ଚାପ ପକାଇଲେ  । ମୁଁ ଅମୁକ ଏମଏଲଏ କହୁଛି, ମୁଁ ସମୁକ ସଭାପତି କହୁଛି, ଆମ କାମଟା ନକଲେ ସିଧା ସିଏମ, ଡେପୁଟି ସିଏମ ଓ ମିନିଷ୍ଟରଙ୍କୁ କହିବି କହି ଡରାଇବାକୁ ବି ଚେଷ୍ଟା କଲେ  । ପ୍ରତିଦିନ ମନ୍ତ୍ରୀଙ୍କ ପାଖକୁ ଏତେ ଦାବି ଆସିଲାଯେ, ସେମାନେ ଅସ୍ତବ୍ୟସ୍ତ ହୋଇଗଲେ  । ନିଜ ବିଭାଗ କଥା ବୁଝିବେ ନାଁ କର୍ମୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ବଦଳି ଓ ପୋଷ୍ଟିଂ କଥା ବୁଝିବେ  । ଏସବୁ ନେଇ ମନ୍ତ୍ରୀ ଓ ପ୍ରଶାସନ ବିଚଳିତ ହୋଇଯିବା ପରେ ମୁଖ୍ୟ ଶାସନ ସଚିବଙ୍କୁ ବଦଳି ଓ ପୋଷ୍ଟିଂ ନେଇ ଚିଠି ବାହାର କରିବାର ଯୋଜନା କରାଯାଇଥିଲା  । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ବିନା ଅଗୋଚରରେ ଏକଥା ହୋଇନାହିଁ  । ଏଭଳି କରିବା ଦ୍ୱାରା ମନ୍ତ୍ରୀଙ୍କ ଠାରୁ ନେଇ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି  । ଏଣିକି ବଦଳି ଓ ପୋଷ୍ଟିଂ ନେଇ ଯେଉଁମାନେ ଆସିବେ ସେମାନଙ୍କୁ ମୁଖ୍ୟସଚିବଙ୍କ ପତ୍ର ହିଁ ଦେଖାଇ ଦେଇହେବ  । ପ୍ରଶାସନ କଟକଣା ଲଗାଇଥିବାରୁ ହୋଇପାରୁନି ବୋଲି ସଂକ୍ଷିପ୍ତ ଉତ୍ତର ବି ଦେଇହେବ  । ଏହାଦ୍ୱାରା କର୍ମୀ ବି ବୁଝିପାରିବେ ଓ ବିଧାୟକ ଏବଂ ମନ୍ତ୍ରୀମାନେ ଆଶ୍ୱସ୍ତ ହୋଇପାରିବେ  ।