ବିଜୁ ପଟ୍ଟନାୟକ ବିମାନ ବନ୍ଦର : ବର୍ଷକୁ ଉଡୁଛନ୍ତି ୫୦ ଲକ୍ଷ ଯାତ୍ରୀ
ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱର, ଝାରସୁଗୁଡ଼ା, ରାଉରକେଲା, ଜୟପୁର ଏବଂ ଉତ୍କେଲାଠାରେ ୫ ଟି କାର୍ଯ୍ୟକ୍ଷମ ବିମାନବନ୍ଦର ରହିଛି । ଏହାରି ମଧ୍ୟରୁ କେବଳ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବର୍ଷକୁ ୪୯୩୭୩୫୬ ଯାତ୍ରୀ ଯାତାୟାତ କରୁଛନ୍ତି । ଏହାବାଦ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ୨୧୧୦୧୨ ଯାତ୍ରୀ, ରାଉରକେଲାରୁ ୪୧୭୯୫ ଯାତ୍ରୀ, ଜୟପୁରରୁ ୩୮୦୯ ଯାତ୍ରୀ ଏବଂ କଳାହାଣ୍ଡିରୁ ୨୦୩୭ ଯାତ୍ରୀ ବର୍ଷକୁ ଯାତାୟାତ କରୁଛନ୍ତି । ଆଜି ଗୃହରେ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଏହାଛଡ଼ା ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଆଞ୍ଚଳିକ ବିମାନ ଚଳାଚଳ ବ୍ୟବସ୍ଥା ସୁଦୃଢିକରଣ ଓ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର "ଓଡିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨'ର ପ୍ରଣୟନ କରିଛନ୍ତି । ଏହା ବ୍ୟତୀତ ରାଜ୍ୟରେ ବିମାନ ସଂଯୋଗ ବୃଦ୍ଧି କରି ସମାଜିକ ଏବଂ ଅର୍ଥନୈତିକ ବିକାଶ ଆଣିବା ଉଦେ୍ଦଶ୍ୟରେ ରାଜ୍ୟ ସରକାର ନୂତନ ଗନ୍ତବ୍ୟ ନୀତିର ଘୋଷଣା କରିଛନ୍ତି । ବଡ଼ବିଲ (କେନ୍ଦୁଝର), ଜମାଦାରପଲ୍ଲୀ (ସମ୍ବଲପୁର), ତୁଷରା (ବଲାଙ୍ଗୀର), ସତୀଭିତା (ବରଗଡ଼), ଗୋତମା (ନୂଆପଡ଼ା), ଗୁଡ଼ାରି (କନ୍ଧମାଳ) ଏବଂ ଦାଣ୍ଡବୋଷ (ମୟୁରଭଞ୍ଜ) ଠାରେ ଥିବା ୭ଟି ବିମାନପଟ୍ଟୀକୁ ୨ବି ବର୍ଗର ବିମାନବନ୍ଦରରେ ପରିଣତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଜୟପୁର (କୋରାପୁଟ) ଏବଂ ଉତ୍କେଲା (କଳାହାଣ୍ଡି) ବିମାନବନ୍ଦରର ସମ୍ପ୍ରସାରଣ କରି ୩-ବି/୩-ସି ବର୍ଗର ବିମାନବନ୍ଦରରେ ପରିଣତ କରିବା ନିମନ୍ତେ ଯୋଜନା ରହିଛି ।