ନାହିଁ ଶୀତଳ ଭଣ୍ଡାର ; ଅଭାବୀ ବିକ୍ରିର ଶିକାର ଭେଣ୍ଡି ଚାଷୀ

ତାଳଚେର : ତାଳଚେର ଉପଖଣ୍ଡ ଆଖପାଖ ଗ୍ରାମାଞ୍ଚଳରେ ଚଳିତ ବର୍ଷ ଭେଣ୍ଡି ଉତ୍ପାଦନ ହୋଇଛି । ଅଞ୍ଚଳର ବହୁ ପନିପରିବା ଚାଷୀ କ୍ଷେତ୍ରରେ ଭେଣ୍ଡି କିଲୋ ପ୍ରତି କମ୍ ଦରରେ ବେପାରୀଙ୍କୁ ବିକ୍ରୀ କରୁଛନ୍ତି । ବେପାରୀ ତାହାକୁ ଅଧିକ ଦରରେ ଗ୍ରାହକଙ୍କୁ ବିକ୍ରୀ କରୁଥିବା ଜଣାପଡିଛି । ଚାଷୀ ବର୍ଷ ତମାମ କଠିନ ପରିଶ୍ରମ କରି ଚଳିତ ବର୍ଷ ଭଲ ଭେଣ୍ଡି ଉତ୍ପାଦନ କରିଥିଲେ ମଧ୍ୟ ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁନଥିବା ଯୋଗୁଁ ଚାଷୀ କ୍ଷତିର ସମ୍ମୁଖିନ ହେଉଥିବା ଜଣାପଡିଛି । ଚଳିତ ବର୍ଷ ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଦୈନିକ ଭେଣ୍ଡି ଉତ୍ପାଦନ ହେଉଛି । ଶୀତଳ ଭଣ୍ଡାର ଅଭାବରୁ ଉତ୍ପାଦିତ ଭେଣ୍ଡିକୁ ଶାଗମାଛ ଦରରେ ବେପାରୀଙ୍କୁ ବିକ୍ରୀ କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି । ତାଳଚେର ଉପଖଣ୍ଡ ଗ୍ରାମାଞ୍ଚଳରେ ଭେଣ୍ଡି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା କେତେକ ଚାଷୀଙ୍କ ଚିନ୍ତା ବଢିଯାଇଛି । ଗୋଟିଏ ପଟେ ଜମିରେ ମାଙ୍କଡ ଓ ବାହା ପଲଙ୍କ କବଳରୁ ଫସଲକୁ ବଞ୍ଚାଇବାକୁ ଚାଷୀ ଦିନରାତି ଏକ କରୁଥିବା ବେଳେ ଏବେ ଭେଣ୍ଡି ଫସଲ ଆଶାତୀତ ହୋଇଥିବା ବେଳ ସଂରକ୍ଷିତ କରି ରଖିବାକୁ ଶ୍ରୀତଳ ଭଣ୍ଡାର ଅଭାବ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଚାଷୀଙ୍କୁ ଉଚିତ୍ ଦର ମିଳିବା ତ ଦୂରର କଥା ସାର ଓ ଔଷଧ ବାବଦର ଖର୍ଚ୍ଚ ବି ବାହାରୁ ନଥିବା କେତେକ ଚାଷୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଫସଲ ଭଲ ହୋଇଥିଲେ ମଧ୍ୟ ଲାଭ କମ୍ ମିଳୁଥିବାରୁ କେତେକ ଚାଷୀ ଜମି ମାଲିକଙ୍କୁ ସେମାନଙ୍କ କର ବି ଦେଇପାରୁ ନାହାନ୍ତି । ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଭେଣ୍ଡି କିଣି କେତେକ ବେପାରୀ ଗ୍ରାହକଙ୍କୁ ଚଢା ଦରରେ ବିକି ମାଲାମାଲ୍ ହେଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ଦୁଗ୍ଧ ସଂଗ୍ରହ ପାଇଁ ଯେପରି ବ୍ୟବସ୍ଥା କରିଛନ୍ତି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଚାଷୀଙ୍କ ଉତ୍ପାଦିତ ପରିବା ସଂଗ୍ରହ ପାଇଁ ମଧ୍ୟ ସେପରି ବ୍ୟବସ୍ଥା ନ କଲେ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ସମ୍ଭାବନକୁ ଏଡାଇ ହେବ ନାହିଁ ବୋଲି ଆଲୋଚିତ ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଅଗ୍ରଣୀଚାଷୀ ଅନୁରୋଧ କରିଛନ୍ତି ।