ଭାରତୀୟ ନାଗରିକ ନୁହନ୍ତି ୪ ଥର ବିଧାୟକ ହୋଇଥିବା BRS ନେତା

ଭାରତୀୟ ରାଷ୍ଟ୍ରୀୟ ସମିତି(ବିଆରଏସ)ର ନେତା ତଥା ୪ ଥରର ବିଧାୟକ ଚେନ୍ନାମଣେନି ରମେଶ ଭାରତୀୟ ନାଗରିକ ନୁହନ୍ତି। ସେ ଭାରତରେ ୪ଥର ବିଧାୟକ ହୋଇଥିଲେ ହେଁ ପ୍ରକୃତରେ ରମେଶ ଜର୍ମାନୀ ନାଗରିକ।

ତେଲଙ୍ଗାନାର ଭେମୁଲାୱାଡା ଆସନରୁ ଜିତିବା ପାଇଁ ସେ ଜାଲ କାଗଜପତ୍ର ଜରିଆରେ ନିଜକୁ ଭାରତୀୟ ନାଗରିକ ଭାବେ ଚିତ୍ରଣ କରିଥିଲେ। ଆଜି ଏଭଳି କିଛି ରାୟ ଦେଇଛନ୍ତି ତେଲଙ୍ଗାନା ହାଇକୋର୍ଟ। ରମେଶଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସର ଆଦି ଶ୍ରୀନିବାସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାର ଶୁଣାଣି କରି ରମେଶ ଭାରତୀୟ ନାଗରିକ ନୁହନ୍ତି ବୋଲି ରୁଲିଂ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ରମେଶ ଜର୍ମାନୀର ନାଗରିକ ଆଉ ନୁହନ୍ତି ବୋଲି ପ୍ରମାଣ କରିବା ପାଇଁ ଆବଶ୍ୟକ ଦସ୍ତାବିଜ ସେଠାକାର ଦୂତାବାସରୁ ଆଣି ପାରି ନାହାନ୍ତି। ଏହାର ଅର୍ଥ ସେ ଜଣେ ଜର୍ମାନୀ ନାଗରିକ। କୋର୍ଟ ଏଥିପାଇଁ ରମେଶଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି।