ପରୀକ୍ଷା ଦେବାକୁ ଯାଉଥିବା ବେଳେ ଗାଡ଼ି ଧକ୍କା , ୭ ମୃତ
ପରୀକ୍ଷା ଦେବାକୁ ଯାଉଥିବା ବେଳେ ଜୀବନ ପରୀକ୍ଷାରେ ହାରିଗଲେ। ଚାଲିଗଲା ଏକା ସଙ୍ଗେ ୫ ଛାତ୍ରଙ୍କ ସମେତ ୭ ଜଣଙ୍କ ଜୀବନ। ଗୁଜରାଟରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୮ଟାରେ ଜୋତପୁର-ବେରାଓ୍ୱଲ ହାଇଓ୍ୱେର ଭଣ୍ଡୁରୀ ଗାଁ ନିକଟରେ ଦ୍ରୁତ ଗତିରେ ଆସୁଥିବା ଦୁଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଗୋଟିଏ କାର୍ରେ ୫ ଜଣ କଲେଜ ଛାତ୍ର ପରୀକ୍ଷା ଦେବାକୁ ଯାଉଥିବା ନିୟନ୍ତ୍ରଣ ହରାଇ ପ୍ରଥମେ ଏହା ଡିଭାଇଡର୍ରେ ପଟି ହୋଇଥିଲା। ଏହାପରେ ଅପରପାର୍ଶ୍ୱରେ ଆସୁଥିବା ଆଉ ଏକ କାର୍ ସହ ଯାଇ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଉଭୟ କାର୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ପରୀକ୍ଷା ଦେବାକୁ ଯାଉଥିବା ୫ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଏକ କାର୍ରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି। ଦୁଇ କାର୍ ମଧ୍ୟରେ ଧକ୍କା ହେବା ଫଳରେ ଗ୍ୟାସ୍ ବୋତଲ ଫାଟି ଯାଇଥିଲା। ଫଳରେ ପାଖରେ ଥିବା ଏକ କୁଡିଆରେ ନିଆଁ ଲାଗିଥିଲା। ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୂରା ଘଟଣାର ତଦନ୍ତ ଜାରି ରହିଛି।