ବିକଶିତ ହେଉ ଓଡ଼ିଶା : ବଜେଟ୍ରୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶା
ଭୁବନେଶ୍ଵର: ମୋହନ ସରକାରଙ୍କ ଦ୍ବିତୀୟ ବଜେଟ୍ ଆଜି ଆସିବ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ବିଧାନସଭାରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ଅପରାହ୍ଣରେ ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟ୍ରେ କ’ଣ ନୂଆ ଯୋଜନା ରହିବ? ପୂର୍ବର ଫ୍ଲାଗସିପ୍ ଯୋଜନାକୁ କେତେ ଅର୍ଥ ମିଳିବ? ଏବେଠାରୁ ଆକଳନ ଆରମ୍ଭ ହୋଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ମୋହନ ସରକାରଙ୍କ ଠାରୁ ସାଢ଼େ କୋଟି ଓଡ଼ିଆ ଲୋକେ ବହୁ ଆଶା କରିଛନ୍ତି।ଅର୍ଥନୀତି ସର୍ଭେ-୨୦୨୪ ରିପୋର୍ଟରେ, ଆର୍ଥିକ ବର୍ଷ ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ ରାଜ୍ୟର ଜିଡିପି ଓ ଶିଳ୍ପ ଅଭିବୃଦ୍ଧି କମିଛି।
ସେହିପରି ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ସାମଜିକ ସୁରକ୍ଷା ସହ ଭିତ୍ତିଭୂମିକୁ ନେଇ ବଜେଟ୍ରେ କଣ ବ୍ୟବସ୍ଥା ରହିବ। ତା ଉପରେ ସମସ୍ତଙ୍କ ନଜର ରହିଛି। ଏଥର ପରିମାଣ ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦୃତ ଅଭିବୃଦ୍ଧି ନେଇ ଆକଳନ ପରେ, ଏଥର ରାଜ୍ୟ ବଜେଟର ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ମୋହନ ସରକାରଙ୍କ ଏହା ହେଉଛି ଦ୍ବିତୀୟ ବଜେଟ୍। ଗତ ଆର୍ଥିକ ବର୍ଷରେ ବଜେଟର ଆକାର ଥିଲା ୨.୬୫ ଲକ୍ଷ କୋଟି ଟଙ୍କା। ତେଣୁ ଚଳିତ ବଜେଟର ଆକାର ପ୍ରାୟ ୩୦ ହଜାର କୋଟି ଟଙ୍କା ବୃଦ୍ଧି ପାଇବା ସମ୍ଭାବନା। ସେପଟେ ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଏକ ସୁସ୍ଥ ଅର୍ଥନୈତିକ ବ୍ୟବସ୍ଥାକୁ ଛାଡିକି ଯାଇଛନ୍ତି। ଓଡିଶାର ଅର୍ଥନୀତି ଆଗେଇଛି ବୋଲି ନୀତି ଆୟୋଗ ସ୍ବୀକାର ମଧ୍ୟ କରିଛି। ଓଡିଶା ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟ ସରକାର ଏସବୁକୁ ଦୃଷ୍ଟିରେ ରଖି ବଜେଟରେ ଲୋକଙ୍କ ଆଶା ପୂରଣ କରିବେ ବେଲି ଆଶା କରିଛି ବିଜେଡି। କଂଗ୍ରେସ କହିଛି ୮ ମାସ ସରକାର କୈଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ମୋହନ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ବ୍ୟୟବରାଦ ଯେଭଳି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏବଂ ସବୁ ବର୍ଗର ଲୋକଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ହେବ, ସେହି ଅନୁଯାୟୀ ଏହାକୁ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ବିଭିନ୍ନ ସାମଗ୍ରୀର ଆକାଶଛୁଆଁ ଦର ପାଇଁ ଓଡ଼ିଶାର ମୁଦ୍ରାସ୍ଫୀତି ଲଗାତାର ଭାବେ ଅଧିକ ରହୁଥିବା ଚିନ୍ତାର କାରଣ ପାଲଟିଛି। ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବଜେଟ୍ରେ ପଦକ୍ଷେପ ନେବା ଆଶା କରାଯାଉଛି।