ରାଜ୍ୟ ପର୍ଯ୍ୟଟନ ବିଭାଗର ଟ୍ୟାଗଲାଇନ୍ ବଦଳିବ
ନୂଆ ସରକାରରେ ବଦଳିବ ରାଜ୍ୟ ପର୍ଯ୍ଯଟନ ବିଭାଗର ଟ୍ୟାଗଲାଇନ । ପୁରୁଣା ସରକାର ଯେଉଁ ଟ୍ୟାଗ ଲାଇନ୍ ରଖିଥିଲେ ତାହାକୁ ପରିବର୍ତ୍ତନ କରିବେ ବିଜେପି ସରକାର । ଏନେଇ ନିଷ୍ପତ୍ତି ହୋଇଥିବା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୂର୍ବ ସରକାରରେ ରାଜ୍ୟ ପର୍ଯ୍ଯଟନ ବିଭାଗର ଟ୍ୟାଗ ଲାଇନ ରହିଥିଲା ଇଣ୍ଡିଆସ୍ ବେଷ୍ଟ କେପ୍ଟ ସିକ୍ରେଟ । ପର୍ଯ୍ଯଟନ ବିଭାଗର ଏହି ଟ୍ୟାଗଲାଇନ ପରିବର୍ତ୍ତନ ପାଇଁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି । ୨୪ ଫେବ୍ରୁ୍ଆରୀରୁ ୧୫ ମାର୍ଚ୍ଚ ପର୍ଯ୍ଯନ୍ତ ଏହି ପ୍ରତିଯୋଗିତା ହେବ ।
ପର୍ଯ୍ଯଟନ ବିଭାଗ ୱେବସାଇଟ ମାଧ୍ୟମରେ ଟ୍ୟାଗଲାଇନକୁ ନେଇ ଲୋକଙ୍କ ମତାମତ ଗ୍ରହଣ କରାଯିବ । ଟ୍ୟାଗଲାଇନଟି ଗୋଟିଏ ଧାଡି ଓ ୬ଟି ଶବ୍ଦ ମଧ୍ୟରେ ରଖିବାକୁ ହେବ । ଟ୍ୟାଗଲାଇନ ଅର୍ଥ ବାବଦରେ ୧୦୦ ଶବ୍ଦ ମଧ୍ୟରେ ବୁଝାଇବାକୁ ହେବ । ଏହା ସମ୍ପୂର୍ଣ୍ଣ ନିଜସ୍ବ ହୋଇଥିବା ଆବଶ୍ୟକ । ଯେଉଁ ଟ୍ୟାଗ ଲାଇନ ଅଧିକ ପସନ୍ଦ ଆସିବ, ସେହି ଟ୍ୟାଗଲାଇନକୁ ସରକାର ଆପଣାଇବେ । ଟ୍ୟାଗଲାଇନ ବିଜେତା ଲକ୍ଷେ ଟଙ୍କା ଜିତିପାରିବେ । ସବୁ ବର୍ଗର ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ରାଜ୍ୟରେ ନୂଆ ସରକାର ଆସିବା ପରେ ନାଁ ପରିବର୍ତ୍ତନକୁ ନେଇ ରାଜନୀତି ତେଜିଛି । ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ ହେଉଥିବା ବେଳେ ଏବେ ପର୍ଯ୍ଯଟନ ବିଭାଗର ନାଁ ପରିବର୍ତ୍ତନ ଆଡକୁ ଆଉ ପାଦେ ଆଗକୁ ବଢିଛନ୍ତି ରାଜ୍ୟ ସରକାର ।