ନୂଆଦିଲ୍ଲୀରେ ଓଡିଶୀ ନୃତ୍ୟ ସନ୍ଧ୍ୟା : ‘ଦୁଇଟି ପଥ, ଗୋଟିଏ ସ୍ପନ୍ଦନ’ କାର୍ଯ୍ୟକ୍ରମ
ଭୁବନେଶ୍ୱର : ନୂଆଦିଲ୍ଲୀର ଭାରତ ଇଣ୍ଟରନ୍ୟାସନାଲ୍ ସେଣ୍ଟରର ସି.ଡି ଦେଶମୁଖ ଅଡିଟୋରିୟମ୍ରେ ଧ୍ୱନି ଓ ଭାବନାର ସୁରମୟ ସ୍ପନ୍ଦନ ଦେଖିବାକୁ ମିଳିଥିଲା । ଯେଉଁଠାରେ ଯୁବ ଓଡିଶୀ ନୃତ୍ୟଶିଳ୍ପୀ ଶିମ୍ରନ୍ ଜମାନ୍ ଓ ଆନ୍ ଆଫ୍ରିନ୍ ତାଙ୍କର ‘ଦ୍ୱି: ଦୁଇଟି ପଥ, ଗୋଟିଏ ସ୍ପନ୍ଦନ’ ନାମକ ନୃତ୍ୟ ପ୍ରଦର୍ଶନ କରିଥିଲେ । ଶିଳ୍ପୀମାନେ କେବଳ ଶିଳ୍ପ ନୁହେଁ, ବରଂ ନୃତ୍ୟରେ ଓଡ଼ିଆ ପରମ୍ପରା, ପରିଚୟ ଓ ଅଧିକାର ବିଷୟକୁ ନେଇ ନୃତ୍ୟ ପ୍ରଦର୍ଶନ କରିଥିଲେ । ଯାହା ଦର୍ଶକଙ୍କୁ ମନୋମୁଗ୍ଧ କରିଥିଲା । ଏହା ଲାସ୍ୟାୟନ୍ ଅନୁଷ୍ଠାନ ଓ ଶ୍ରେଷ୍ଠ ଲ’ଆର୍ଟିସ୍ତ ବାଲେ ହାଉସ୍ଙ୍କ ସଂଯୁକ୍ତ ପ୍ରୟାସରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଅଲ୍କା ଲାମ୍ବା, ପ୍ରସିଦ୍ଧ ଶିକ୍ଷାବିଦ ତଥା ସାହିତି୍ୟକ ଡ଼ା. ପାରୁଳ ପୁରୋହିତ ବତ୍ସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାଚାର୍ଯ୍ୟା ଡ଼ା. ସ୍ୱାତୀ ପାଳ, ଗୁରୁ ବାଳକୃଷ୍ଣନ୍ ମାରାର ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ନୃତ୍ୟ ସନ୍ଧ୍ୟାରେ ବନମାଳୀ ଦାସଙ୍କ ଭକ୍ତିମୟ କବିତା ‘କେଡେ ଛନ୍ଦ ଜାଣେ ଲୋ ସହି’ ଉପରେ ଭକ୍ତ ଓ ଠାକୁର ମଧ୍ୟରେ ଭାବନାତ୍ମକ ସମ୍ପର୍କକୁ ଦୁଇଜଣ ଶିଳ୍ପୀ ଯୁଗଳ ରୂପରେ ଅତି ଭାବଗଭୀର ଭାବେ ଦେଖାଇଲେ । ତାଙ୍କର ଏହି ଚମକôାର ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଶେଷରେ ଶିଳ୍ପୀ, ପ୍ରଯୋଜନା ଦଳ ଓ ସମସ୍ତ ସହଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।