ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫର ୧୧ଟି ଦଳ ପ୍ରସ୍ତୁତ

ଭୁବନେଶ୍ବର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ଲାଗି ଜାତୀୟ ବିପର୍ୟ୍ୟୟ ପ୍ରଶମନ କମିଟିର ଜରୁରୀ ବୈଠକ । କ୍ୟାବିନେଟ ସଚିବ ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ବାତ୍ୟା ସମୟରେ ଏନଡିଆରଏଫର ୧୪ଟି ଦଳ ପଶ୍ଚିମବଙ୍ଗ ଓ ୧୧ଟି ଦଳକୁ ଓଡ଼ିଶାରେ ମୁତୟନ ପାଇଁ ପ୍ରସ୍ତୁତ ରଖାଯାଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ଥିତିରେ ଥିବା ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆଜି (ମଙ୍ଗଳବାର) ସକାଳେ ଏହା ଅବପାତରେ ପରିଣତ ହୋଇଛି । ଏହା ଅଧିକ ଘନୀଭୂତ ହୋଇ ୨୩ ତାରିଖ ସକାଳ ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିବର୍ତ୍ତିତ ହେବ । ଏହା ପରେ ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଏହା ସହିତ ୨୪ ଅକ୍ଟୋବର ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ । ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହେବ । ଏହା ୨୪ରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଏହା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ଏହା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର କିମ୍ବା ସ୍ଥଳବିଶେଷରେ ୧୨୦ କିଲୋମିଟର ଛୁଇଁବା ନେଇ ଆକଳନ କରାଯାଇଛି ।