ଚାଟ୍ଜିପିଟି ସହ ଏହି ଟୁଲ୍ ବ୍ୟବହାର କରିପାରିବେନି ସରକାରୀ କର୍ମଚାରୀ ! : ଅର୍ଥ ମନ୍ତ୍ରଣାଳୟ
ସହଜରେ କାମ କରିବାକୁ କେନ୍ଦ୍ର କର୍ମଚାରୀମାନେ ଚାଟଜିପିଟି ଓ ଡିପସିକ୍ର ବ୍ୟବହାର କରୁଛନ୍ତି । ହେଲେ ଏହା କରିବା ଦ୍ବାରା କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଗୋପନୀୟତା ନଷ୍ଟ ହେଉଛି । ଯାହାକୁ ନେଇ ସରକାର ଅଡୁଆରେ ପଡୁଛନ୍ତି । ସେଇଥି ଲାଗି ତ ଏହି ଦୁଇ ଏଆଇ ଟୁଲ୍ ବ୍ୟବହାର ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି । ଯେଉଁପରି ଭାବରେ କେନ୍ଦ୍ରୀୟ କର୍ମଚାରୀ ଏହାର ବ୍ୟବହାର ନକରିବେ ସେଇଥି ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ଏହି ଟୁଲ ବ୍ୟବହାର କରୁଛନ୍ତି ସେମାନେ ଅଫିସର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଆପ୍ରେ ଦାଖଲ କରୁଛନ୍ତି । ତେଣୁ ଏହା ଲିକ୍ ହେଉଛି । ଯାହା କି ଅପରାଧ ।ତେଣୁ ଏହି ଟୁଲ୍ର ବ୍ୟବହାର ନକରିବା ଭଲ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ଯେଉଁ କର୍ମଚାରୀମାନେ ଏଆଇ ଟୁଲ୍ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନେ ନିଜ ବ୍ୟକ୍ତିଗତ ଲାପଟପ୍ରେ ବ୍ୟବହାର କରିପାରିବେ । ହେଲେ ସରକାରୀ କମ୍ପ୍ୟୁଟରରେ କୌଣସି ପ୍ରକାର ଟୁଲ୍ ବ୍ୟବହାର ନକରିବାକୁ ସ୍ପଷ୍ଟଭାବରେ କୁହାଯାଇଛି । ନିଇତି କୋଟି କୋଟି ଲୋକଙ୍କ ଫାଇଲ କାମ ହେଉଛି । ତେଣୁ ଏଥିଲାଗି କର୍ମଚାରୀଙ୍କୁ ଦୃଷ୍ଟିଦେବାକୁ ପଡ଼ିବ ବୋଲି କୁହାଯାଇଛି ।
ବର୍ତ୍ତମାନ ଡିଜିଟାଲ ଯୁଗରେ ଶହଶହ ଏଆଇ ଆପ୍ରେ କାମ ହେଉଛି । ଅଧିକ କାମକୁ କମ୍ ସମୟରେ ସାରିବା ଲାଗି ନୂଆ ନୂଆ ଟୁଲ୍ର ବ୍ୟବହାର ବି କରାଯାଉଛି ।ତେଣୁ କେନ୍ଦ୍ର ସରକାରଙ୍କ ଅଧୀନରେ ଯେଉଁମାନେ କାମ କରୁଛନ୍ତି ସେମାନେ ବି ଟୁଲ୍ ବ୍ୟବହାର କରୁଛନ୍ତି । ହେଲେ ଏହି ଟୁଲ୍ରେ ଅନେକ ଗୋପନୀୟତା ନଷ୍ଟ ହେଉଛି । ସୂଚନା ଅନୁସାରେ ଭାରତରେ, ଚାଜ୍ଜିପିଟି, ଜେମିନି ଓ ଡିପସିକ୍ ଭଳି ଅନେକ ଟୁଲ୍ କାମ କରୁଛି । ତେଣୁ ନିଜ କାମକୁ ସହଜ ଓ ଶୀଘ୍ର କରିବା ଲାଗି ଅନେକ ଏହାର ବ୍ୟବହାର ମଧ୍ୟ କରୁଛନ୍ତି । ବେଳେ ବେଳେ ଏଆଇ ଟୁଲ୍ ନିର୍ଦ୍ଦିଷ୍ଟ କିଛି ଆକ୍ସିସ୍ ମାଗୁଥିବାର ଦେଖାଯାଇଛି । ଯାହାଦ୍ବାରା ଗୋପନୀୟତା ନଷ୍ଟ ହେଉଥିବା ଜଣାପଡୁଛି । ଚୀନ ଦ୍ବାରା ନିର୍ମାଣ ହୋଇଥିବା ଡିପ୍ସିକ୍ ଆପ୍ ଭାରତରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଛି । କମ୍ ଖର୍ଚ୍ଚରେ ଅଧିକ କାମ କରି ବିଭିନ୍ନ ଇଣ୍ଟଷ୍ଟ୍ରିରେ ଏହା ସଫଳତା ହାସଲ କରିଛି । ୨୦ ଜାନୁଆରୀ ୨୦୨୫ରେ ଡିପସିକ୍ ଆର-ୱାନ୍ ଚାର୍ଜବୋଟ୍ ହଠାତ୍ ଲୋକପ୍ରିୟତାରେ ରେକର୍ଡ ସୃଷ୍ଟି କରିଥିଲା । ଖାଲି ଲୋକପ୍ରିୟତା ବଢିଛି ତାହା ନୁହେଁ ବରଂ ଗୋପନୀୟତା ଉପରେ ବି ପ୍ରଶ୍ନ ଛିଡ଼ା କରିଛି । ମୋଟ୍ ଉପରେ ଏଆଇ ଟୁଲ୍ରେ ଶୀଘ୍ର କାମ ହେଉଛି ଏଥିରେ କୌଣସି ଦ୍ବିମତ ନାହିଁ । ହେଲେ ଯେଉଁପରି ଭାବରେ ଗୋପନୀୟତା ହ୍ରାସ ପାଉଛି ସେନେଇ ବି ପ୍ରଶ୍ନ ଉଠିଛି । ତେଣୁ ଏହି ଆପ୍ ବ୍ୟବହାର ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
ଅନେକ ସମୟରେ ଦେଖାଯାଇଛି କି ଚାଇନା ଆପ୍ରେ ଗୋପନୀୟତା ନଷ୍ଟ ହେଉଛି । ତେଣୁ ଆପ୍ ବ୍ୟବହାର ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଯେଉଁମାନେ ନିର୍ଦ୍ଦେଶ ମାନିବେ ନାହିଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।