ମୋଦିଙ୍କୁ ଚୀନର ପ୍ରଶଂସା


 ନୂଆଦିଲ୍ଲୀ:  ଆମେରୀକୀୟ ପଡ୍କାଷ୍ଟର୍ ଲେକ୍ସ ଫ୍ରିଡ୍ମ୍ୟାନ୍ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାର ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶ୍ୱ ସହିତ ଭାରତର ସମ୍ପର୍କ ବିଷୟରେ ମୋଦି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ବେଳେ ଏହି ସମୟରେ ଚୀନ୍ ସପକ୍ଷରେ ଦେଇଥିବା ବାର୍ତ୍ତାକୁ ନେଇ ପ୍ରଶଂସା କରିଛି ଚୀନ୍ । ଚୀନ୍ ପ୍ରତି ଭାରତର ସକରାତ୍ମକ ମନୋଭାବକୁ ଖୁବ୍ ପ୍ରଶଂସା କରିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ୍ । ଦୁଇରାଷ୍ଟ୍ର ମଧ୍ୟରେ ସହଯୋଗକୁ ସେ ହାତୀ ଏବଂ ଡ୍ରାଗନ୍ର ସମନ୍ୱିତ ନୃତ୍ୟ ସହିତ ତୁଳନା କରିଥିଲେ ଏବଂ କହିଥିଲେ ଚୀନ୍ ଏବଂ ଭାରତ ମଧ୍ୟରେ ପାରସ୍ପରିକ ସହଯୋଗ ହେଉଛି ଏକମାତ୍ର ସଠିକ୍ ପସନ୍ଦ । ସେହିପରି ଗତ କିଛିମାସ ଧରି ଉଭୟ ରାଷ୍ଟ୍ର ମଧ୍ୟରେ ଉପୁଜିଥିବା ସୀମା ବିବାଦ କିମ୍ବା ବାଣିଜି୍ୟକ ସମସ୍ୟାକୁ ନେଇ ଉଭୟ ପକ୍ଷଙ୍କ ସହମତିକୁ ଆଗ୍ରହର ସହିତ କାର୍ଯ୍ୟକାରୀ କରାଯାଇଛି । ବିଭିନ୍ନକ୍ଷେତ୍ରରେ ଦ୍ୱିପାକ୍ଷିକ ବୁଝାମଣାକୁ ନେଇ ହୋଇଥିବା ଆଦାନପ୍ରଦାନ ଯୋଗୁ ଦୁଇଦେଶ ମଧ୍ୟରେ ସକରାତ୍ମକ ପ୍ରଭାବ ବିସ୍ତାର ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି । ବିଭିନ୍ନ ସହଭାଗିତାରେ ଭାରତର ସକରାତ୍ମକ ମନୋଭାବକୁ ନେଇ ଚୀନ୍ ଭାରତ ସହିତ କାମ କରିବା ପାଇଁ ଇଚ୍ଛୁକ ବୋଲି ସେ କହିଛନ୍ତି । ସେହିପରି ଚୀନ୍-ଭାରତ କୁଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ସମାରୋହରେ ଉଭୟ ରାଷ୍ଟ୍ରର ପାରସ୍ପରିକ ସହଯୋଗ ଉପସ୍ଥାପନା କରିବା ଚୀନର ଏକ ସୁଯୋଗ ସାବ୍ୟସ୍ତ ହେବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଗତକାଲି ଆମେରିକୀୟ ପଡ୍କାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହିତ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ସହିତ ଭାରତର ସମ୍ପର୍କ ବିଷୟରେ ଆଲୋଚନା କରି କହିଥିଲେ ଯେ ‘ପଡ଼ୋଶୀ ଦୋମାନଙ୍କ ମଧ୍ୟରେ ମତଭେଦ ସ୍ୱାଭାବିକ । କିନ୍ତୁ ଏହି ମତଭେଦ ବିବାଦରେ ପରିଣତ ନ ହେବା ପାଇଁ ଆଲୋଚନା ହେଉଛି ଗୁରୁତ୍ୱପୂର୍ଣ୍ଣ ।’ ଏହାସହ ସେ କହିଥିଲେ ୨୦୨୦ରେ ଭାରତ-ଚୀନ୍ ସୀମା ଗଲୱାନ୍ ଘାଟିରେ ଦେଖାଦେଇଥିବା ଅଶାନ୍ତି ଦୁଇ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲା । କିନ୍ତୁ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଏବେ ସୀମାରେ ଶାନ୍ତି ଫେରିପାଇଛି ବୋଲି ମୋଦି କହିଥିଲେ । ଗତ ଅକ୍ଟୋବର ୨୧ରେ ଭାରତ ପୂର୍ବ ଲଦାଖର ଏଲ୍ଏସି ନିକଟରେ ପାଟ୍ରୋଲିଂ ପାଇଁ ଚୀନ୍ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଯାହା ସୃଷ୍ଟି ହୋଇଥିବା ସୀମା ଅଶାନ୍ତରେ ପୂର୍ଣ୍ଣଛେଦ ପକାଇଥିଲା ବୋଲି ମୋଦି କହିଥିଲେ । ସେହିପରି ଗତ ଅକ୍ଟୋବରରେ ମୋଦି ରୁଷ୍ର କାଜାନ୍ରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟିଥିବା ବେଳେ ଉଭୟ ନେତା ଏଲ୍ଏସି ପାଟ୍ରୋଲିଂ ଏବଂ ବିଚ୍ଛିନ୍ନତା ଉପରେ ହୋଇଥିବା ଭାରତ-ଚୀନ୍ ଚୁକ୍ତିକୁ ସମର୍ଥନ କରିଥିଲେ ।