ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଚାର୍ଜଫ୍ରେମ୍‌

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଚାର୍ଜଫ୍ରେମ୍‌

ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର କୋର୍ଟ (ପିଏମ୍‌ଏଲ୍‌ଏ) ତଥା ଜିଲା ଓ ଦୌରା ଜଜ୍‌ ଚାର୍ଜଫ୍ରେମ୍‌ କରିଛନ୍ତି। ରୋଜ୍‌ଭ୍ୟାଲି ଚେୟାରମ୍ୟାନ ଗୌତମ କୁଣ୍ଡୁ, ପରିଚାଳନା ସଦସ୍ୟ ଶିବମୟ ଦତ୍ତ ଏବଂ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ବୁଧବାର ଚାର୍ଜଫ୍ରେମ୍‌ ହୋଇଥିବା ନେଇ ଇଡି ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ପୂର୍ବରୁ ୨୦୧୪-୨୦୧୫ରେ ଭୁବନେଶ୍ୱର ଇଡି ଜୋନାଲ ଅଫିସ ପକ୍ଷରୁ ୩୩୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି(ବର୍ତ୍ତମାନ ୪୦୦ କୋଟିରୁ ଊର୍ଦ୍ଧ୍ୱ) ଆଟାଚ୍‌ ହୋଇଥିବାବେଳେ ୨୦୧୬ରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। ତେବେ ଏକାଧିକ ରାଜ୍ୟରେ ଏହି ଠକେଇ ହୋଇଥିବା ବେଳେ କୋଲକାତା ଇଡି ଜୋନାଲ ଅଫିସ, ଗୁଆହାଟି ଇଡି ଜୋନାଲ ଅଫିସ ଓ ଅଗରତାଲା ଇଡି ସବ୍‌-ଜୋନାଲ ଅଫିସ ପକ୍ଷରୁ ମଧ୍ୟ ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏପରିକି ଏହି ମାମଲାଗୁଡ଼ିକରେ ଉକ୍ତ ଜୋନାଲ ଅଫିସଗୁଡ଼ିକ ୧୧୭୧.୭୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ମଧ୍ୟ ଆଟାଚ୍‌ କରି ତଦନ୍ତ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଏମ୍‌/ଏସ୍‌ ରୋଜ୍‌ଭ୍ୟାଲି ଗ୍ରୁପ୍‌ ୧୦ ବର୍ଷ ତଳେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତ୍ରିପୁରା ଓ ଓଡ଼ିଶା ଆଦି ରାଜ୍ୟରେ କାର୍ଯ୍ୟାଳୟ ଖୋଲି ବିଭିନ୍ନ ସ୍କିମ୍‌ ଜରିଆରେ ଜମାକାରୀଙ୍କୁ ବହୁଗୁଣ ଲାଭ ଦେବାର ପ୍ରତିଶ୍ରୁତି ଦେଇ ଅନେକ କୋଟି ଟଙ୍କା ସଂଗ୍ରହ କରିଥିଲା। ଠକ ସଂସ୍ଥା ଜମାକାରୀଙ୍କ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ୨୦୧୩ରେ ବାଲେଶ୍ୱର ଜିଲା ସୋର ଥାନାରେ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ନେଇ ଏକ ନୂଆ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ବେଆଇନ ଅର୍ଥ କାରବାର ଦିଗକୁ ନେଇ ଇଡି ମଧ୍ୟ ମାମଲା ରୁଜୁ କରିଥିଲା। ସେହିପରି ସିବିଆଇ ମଧ୍ୟ ଏହାର ତଦନ୍ତ କରିଥିଲା। ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ପର୍ଯ୍ୟାୟକ୍ରମେ ରୋଜ୍‌ଭ୍ୟାଲି ଚେୟାରମ୍ୟାନ ଗୌତମ, ତାଙ୍କ ସ୍ତ୍ରୀ ଶୁଭ୍ରା, ପରିଚାଳନା ସଦସ୍ୟ ଶିବମୟ ଦତ୍ତ, ଓଡ଼ିଶା ମୁଖ୍ୟ ବିକ୍ରମ୍‌ଜିତ ଭୌମିକ ପ୍ରମୁଖଙ୍କୁ ଗିରଫ କରାଯାଇଥିଲା। ଅନ୍ୟପକ୍ଷରେ ପୂର୍ବରୁ ଇଓଡବ୍ଲ୍ୟୁ ମଧ୍ୟ ରୋଜ୍‌ଭ୍ୟାଲିର ୯୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌ କରିଛି।