ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୬ ବିଧାନସଭାରେ କଂଗ୍ରେସ ଦେବ କଡ଼ା ଟକ୍କର
ଭୁବନେଶ୍ୱର,: ଆସନ୍ତା ୨୫ରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ କଂଗ୍ରେସ ୬ଟି ବିଧାନସଭା ସିଟ୍ରେ କଡ଼ା ମୁକାବିଲା କରିବାକୁ ଥିବାବେଳେ ଅନ୍ୟ କେତେକ ଆସନରେ ନିର୍ଣ୍ଣାୟକ ଭୂମିକା ନେଇପାରେ । ତୃତୀୟ ପର୍ଯ୍ୟାୟରେ ଲଢ଼େଇ ହେଉଥିବା ୬ ଲୋକସଭା କ୍ଷେତ୍ରରୁ ୨୦୧୯ରେ ବିଜେପି ୨ଟି ଓ ବିଜେଡି ୪ଟି ଜିତିଥିଲା ।
କଂଗ୍ରେସ ଆଦୌ ଲୋକସଭା ସିଟ୍ ଜିତିନଥିବା ବେଳେ କେବଳ କଟକ ବାରବାଟୀରୁ ମହମ୍ମଦ ମୋକିମ ଜିତିଥିବା ବେଳେ ଜଟଣୀ ଆସନରୁ ସୁରେଶ ରାଉତରାୟ ଜିତିଥିଲେ । କଟକ ବାରବାଟୀରୁ ଏଥର କିନ୍ତୁ ମୋକିମ ନିଜେ ନ ଲଢ଼ି ଝିଅ ସୋଫିଆ ଫିର୍ଦ୍ଦୋଷ ଲଢୁଛନ୍ତି। ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ଓ ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ତାଙ୍କର କଡ଼ା ମୁକାବିଲା ହେଉଛି । ଗତଥର ଜିତିଥିବା ଜଟଣୀ ସିଟରେ ବି ସୁର ଲଢୁ ନାହାନ୍ତି । ସେଠାରେ କଂଗ୍ରେସ ଟିକଟ ପାଇଛନ୍ତି ସନ୍ତୋଷ ଜେନା । ବିଜେଡିର ବିଭୂତି ବଳବନ୍ତରାୟ ଓ ବିଜେପିର ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ସନ୍ତୋଷଙ୍କ ଟକ୍କର ହେଉଛି ।
୨୦୧୯ରେ ସମ୍ବଲପୁର ଲୋକସଭା ଅଧୀନ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ରେଢ଼ାଖୋଲରେ କଂଗ୍ରେସ ଟକ୍କର ଦେଇଥିଲା । ବିଜେଡିର ରୋହିତ ପୂଜାରୀ ଜିତିଥିଲେ ମଧ୍ୟ କଂଗ୍ରେସର ଆସଫ ଅଲ୍ଲି ଖାନ୍ ୪୨ ହଜାର ୪୭୯ ଖଣ୍ଡ ଭୋଟ୍ ପାଇଥିଲେ । ଆସଫ ଏଥର ପୁଣି ଲଢ଼ୁଥିବା ବେଳେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟକ୍କର ଦେଉଛନ୍ତି ।
କେନ୍ଦୁଝର ଲୋକସଭା ଅଧୀନ ଘସିପୁରା ଆସନରେ କଂଗ୍ରେସ ୨୦୧୯ରେ କଡ଼ା ଟକ୍କର ଦେଇଥିଲା । ସେତେବେଳେ ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ଥିଲେ । ଏବେ ସୁବ୍ରତ ଚକ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ନିରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସର ଭୋଟ୍ ନହେଲେ ବି ପଟ୍ଟନାୟକ ପରିବାରର ଭୋଟ୍ ସୌମ୍ୟଙ୍କ ନିକଟକୁ ଯିବାର ସମ୍ଭାବନା ଏଡ଼ାଇ ଦିଆଯାଇପାରିବ ନାହିଁ । ଆନନ୍ଦପୁର ଆସନରେ ପୁଣି ଜୟଦେବ ଜେନା ପ୍ରାର୍ଥୀ ହୋଇଛନ୍ତି । ସେ ପୂର୍ବରୁ ୪ଥର ଜିତିଛନ୍ତି । ଶେଷ ଥର ୨୦୦୪ରେ ଜିତିଥିବା ବେଳେ ଗତ ୩ଥର ନିର୍ବାଚନ ହାରିଛନ୍ତି । ହେଲେ କଂଗ୍ରେସର ଏଠାରେ ଗୋଟିଏ ବଡ଼ ଭୋଟ୍ ବ୍ୟାଙ୍କ ରହିଛି । ଯାହା କେବେ ୪୫ ହଜାରରୁ ତଳକୁ ଖସିନି । ୨୦୧୯ରେ ବିଜେଡିରୁ ଜିତିଥିବା ଭାଗିରଥୀ ସେଠୀଙ୍କୁ ଦଳ ଏଥର ଟିକଟ ଦେଇନି । ଅଭିମନ୍ୟୁ ସେଠୀଙ୍କୁ ଦଳ ପ୍ରାର୍ଥୀ କରିଛି । ତେଣୁ କଂଗ୍ରେସର ଜୟଦେବ ଜିତିବା ନେଇ ଆଶାବାଦୀ ହୋଇ ପଡ଼ିଛନ୍ତି ।
କଟକ ଲୋକସଭାର ବାଙ୍କୀ ନିର୍ବାଚନମଣ୍ଡଳୀରେ କଂଗ୍ରେସର ପାଖାପାଖି ୫୦ ହଜାର ଭୋଟ୍ ବ୍ୟାଙ୍କ ରହିଛି । ୨୦୧୯ରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଲଢ଼ି ୫୦ ହଜାର ୪୮୧ ଭୋଟ ପାଇଥିଲେ । ଏଥର ସେ ପୁଣି ଲଢୁଛନ୍ତି । ତାଙ୍କ ସହ ବିଜେଡିର ଛାତ୍ର ବିଜେଡିର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କର କଡ଼ା ମୁକାବିଲା ହେଉଛି ।
ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ବେଗୁନିଆ ନିର୍ବାଚନମଣ୍ଡଳୀ ପୂର୍ବରୁ କଂଗ୍ରେସର ଗଡ଼ ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଏହା ନିର୍ବାଚନମଣ୍ଡଳୀ ରହିଥିଲା । ଏହି ଆସନରେ ୬ଥର କଂଗ୍ରେସ ବିଧାୟକ ଜିତିଥିଲେ । ୨୦୧୯ରେ କଂଗ୍ରେସରୁ ଲଢୁଥିବା ପ୍ରଦୀପ କୁମାର ସାହୁ ୫୩ହଜାରରୁ ଅଧିକ ଭୋଟ ପାଇଥିଲେ । ଏଥର ସେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭ ଲଢୁଛନ୍ତି । ସେ ପ୍ରଥମ ଥର ପାଇଁ ଲଢୁଥିବାରୁ ଭୋଟର୍ କେମିତି ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଛି ।