କଂଗ୍ରେସକୁ ଫେରିବେ ଚିରଞ୍ଜୀବ

ଜାତି ଗଲା, ହେଲେ ପେଟ ପୂରିଲାନି । ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ପାଇଁ ଏହି କଥାଟି ବେଶ୍ ପ୍ରଯୁଜ୍ୟ । ରାଜନୀତିକ ଫାଇଦା ପାଇଁ ଗତବର୍ଷ ମାର୍ଚ୍ଚରେ ସେ କଂଗ୍ରେସ ଛାଡ଼ିଥିଲେ । କଂଗ୍ରେସରୁ ଲଢ଼ିଲେ ଜିତିହେବ ନାହିଁ ବୋଲି ତାଙ୍କର ଧାରଣା ବି ରହିଥିଲା । ତେଣୁ ଶଙ୍ଖ ଫୁଙ୍କି ବିଜେଡ଼ି ଟିକେଟରେ ବିଧାୟକ ଓ ମନ୍ତ୍ରୀ ହେବାକୁ ସେ ଆଶା ବାନ୍ଧିଥିଲେ । ହେଲେ ତାଙ୍କ ଆଶା ଆଶାରେ ହିଁ ରହିଯାଇଥିଲା । ରାଜ୍ୟ କଂଗ୍ରେସରେ ଚିରଞ୍ଜୀବ ଜଣେ ପାୱାରଫୁଲ୍ ନେତା ଭାବେ ବିବେଚିତ ହେଉଥିଲେ । କିନ୍ତୁ ବିଜେଡ଼ିକୁ ଯିବା ପରେ ତାଙ୍କର ପ୍ରଭାବ, ପତିଆରା ସବୁ ମାଟିରେ ମିଶି ଯାଇଥିଲା । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ ଦେବାକୁ ବି ଯୋଗ୍ୟ ମନେ କଲେନାହିଁ । ତଥାପିବି ଚିରଞ୍ଜୀବ ବିଜେଡ଼ିରେ ରହିବାକୁ ବାଧ୍ୟ ହୋଇଥିଲେ । ସେ ଭାବିଥିଲେ ବିଜେଡ଼ି ସରକାରକୁ ଆସିବା ପରେ ସେ ରାଜ୍ୟସଭାକୁ ଯାଇପାରିବେ । କିନ୍ତୁ ବିଜେଡ଼ିର ଅକସ୍ମାତ ପରାଜୟ ଚିରଞ୍ଜୀବଙ୍କ ସବୁ ଅଙ୍କ ଭୁଲ୍ କରିଦେଇଥିଲା । ଏବେ ପୁଣିଥରେ ଘରକୁ ବାହୁଡ଼ିବାକୁ ସେ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି ।
ମିଳିଥିବା ସୂଚନାନୁସାରେ, ନିକଟରେ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଭବନ ଯାଇଥିଲେ । ଅନେକ ଦିନ ପରେ ରଞ୍ଜୀବଙ୍କୁ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ସେ ଆଲୋଚନା ବି କରିଛନ୍ତି । ପଛୁଆ ବର୍ଗଙ୍କ ପାଇଁ ହେଉଥିବା ବୈଠକରେ ବି ରଞ୍ଜୀବଙ୍କୁ ଦେଖିବାକୁ ମିଳିଥିଲା । ଅତଏବ ରଞ୍ଜୀବ ଏବେ କଂଗ୍ରେସ ରାଜନୀତିରେ ସକ୍ରିୟ ହେବା ନିଶ୍ଚିତ ବୋଲି କୁହାଯାଉଛି । ଏମିତିକି ଆଲୋଚନା କାଳରେ ଚିରଞ୍ଜୀବଙ୍କ କଥା ବି ଭକ୍ତ ଉଠାଇଥିଲେ । ଜଗତସିଂହପୁର ଜିଲ୍ଲାରେ ଏବେ କଂଗ୍ରେସର ସଂଗଠନ ଦୋହଲି ଯାଇଛି । ପୂର୍ବରୁ ଜଗତସିଂହପୁର, ତିର୍ତ୍ତୋଲ ଓ ପାରାଦୀପରେ କଂଗ୍ରେସ ଭଲ ପ୍ରଦର୍ଶନ କରୁଥିଲା । କିନ୍ତୁ ଚିରଞ୍ଜୀବ ବିଶ୍ୱାଳ ଓ ବାପି ସର୍ଖେଲ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିବା ପରେ ଦଳର ସଂଗଠନ ତଳମୁହାଁ ହୋଇଯାଇଛି । କିନ୍ତୁ ଦୁଇ ନେତା ବିଜେଡ଼ିକୁ ଯାଇଥିଲେବି ଜଗତସିଂହପୁରରେ ବିଜେପି ବାଜିମାତ୍ କରିଛି । ଫଳରେ ଏମାନଙ୍କୁ ନେଇ କିଛି ଲାଭ ନାହିଁ ବୋଲି ବିଜେଡ଼ି ମନେକରୁଛି । ନିକଟରେ ହୋଇଥିବା ସାଂଗଠନିକ ପୁନର୍ବିନ୍ୟାସରେ ଦୁଇ ନେତାଙ୍କୁ ବି ସେଭଳି ଗୁରୁତ୍ୱ ଦିଆଯାଇନାହିଁ । ତେଣୁ ପୁଣିଥରେ ଘରକୁ ବାହୁଡ଼ି କଂଗ୍ରେସକୁ ମଜବୁତ୍ କରିବା ପାଇଁ ଚିରଞ୍ଜୀବ ଯୋଜନା କରୁଛନ୍ତି । କିନ୍ତୁ କେବେ ସେ ବିଜେଡ଼ି ଛାଡ଼ିବେ ଓ କଂଗ୍ରେସକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ । ସମ୍ଭବତଃ ଜୁନ୍ରେ ଚିରଞ୍ଜୀବ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି ।