ମୋହନଙ୍କୁ ମାନୁନାହାନ୍ତି ବିଡ଼ିଓ

ଭୁବନେଶ୍ୱର : ସରକାର ୧୧ ମାସ ପୂରଣ କଲାଣି । ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁଛନ୍ତି, ବିଡ଼ିଓ ତାଙ୍କ କଥା ଶୁଣୁନାହାନ୍ତି । ବିଧାୟକମାନଙ୍କୁ ବି ଖାତିର କରୁନାହାନ୍ତି । ଯାହାକୁ ନେଇ ଏବେ ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି । ପ୍ରଶ୍ନ ଉଠୁଛି, ଯଦି ମୁଖ୍ୟମନ୍ତ୍ରୀଙ୍କ କଥା ବିଡ଼ିଓ ଶୁଣୁନାହାନ୍ତି, ତେବେ କାହା କଥା ଶୁଣୁଛନ୍ତି । ବ୍ଳକରେ କ’ଣ ଏବେବି ବିଜେଡ଼ି ରାଜ୍ ଚାଲିଛି ? ବିଜେଡ଼ି ବିଧାୟକ, ବିଜେଡ଼ି ନେତା, ବିଜେଡ଼ି ସରପଞ୍ଚ, ବିଜେଡ଼ି ବ୍ଳକ ଅଧ୍ୟକ୍ଷମାନଙ୍କର ରାଜ୍ ଯଦି ଚାଲିଛି, ତେବେ ମୁଖ୍ୟମନ୍ତ୍ରୀ କରୁଥିଲେ କ’ଣ ବୋଲି ପ୍ରଶ୍ନ ଉଠିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ମୋ ଛୋଟ ବ୍ରେନ୍ରେ ସବୁ ସେଭ୍ ହୋଇ ରହିଛି । ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଉଥିବାବେଳେ ବିଡ଼ିଓ ଟିଭି କାଟି ଦେଉଛନ୍ତି । ଲୋକଙ୍କୁ ପଳାଇ ଯିବାକୁ କହୁଛନ୍ତି । ଏହାକୁ ମୁଁ କ୍ଷମା ଦେବିନି । ଏହା ପରେ ପରିସ୍ଥିତି କ’ଣ ହେବ ଆପଣମାନେ ଜାଣିଛନ୍ତି । ମୁଁ ଆଦିବାସୀ ଲୋକ, ତୃଣମୂଳସ୍ତରରୁ ଆସିଛି । ମୋ ସରଳତାକୁ ମୋ ଦୁର୍ବଳତା ବୋଲି ଭାବନ୍ତୁ ନାହିଁ । ହାର୍ଡ ନିଷ୍ପତ୍ତି ବି ନେଇପାରେ । ଆଶା କରୁଛି ଏହାକୁ ସୁଧାରି ନେବେ । ଏଥିରୁ ସ୍ପଷ୍ଟ ଅନୁମେୟ, କେଉଁ ବିଡ଼ିଓ ଏଭଳି କରୁଛନ୍ତି ସେନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ତଥ୍ୟ ପ୍ରମାଣ ସବୁ ରହିଛି । ଯଦି ତଥ୍ୟ ପ୍ରମାଣ ଅଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କାହିଁକି ? ଏହାର ଉତ୍ତର ଏବେ ଲୋକେ ମାଗିବା ଆରମ୍ଭ କଲେଣି ।
ମନରେଗା ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀ ଭୟଙ୍କର କଥା କହିଛନ୍ତି । ବିରୋଧୀ ଦଳରେ ଥିବାବେଳେ ସେ ଯେଉଁ କଥା ବାରମ୍ବାର ବିଧାନସଭାରେ ଉଠାଉଥିଲେ ଏବେ ମୁଖ୍ୟମନ୍ତ୍ରୀ ଭାବେ ସେଇ କଥା ଉଠାଇଛନ୍ତି । ମେସିନ୍ରେ କାମ ଚାଲିଛି, ମିଛ ମଷ୍ଟର ରୋଲ୍ କରାଯାଉଛି । କିନ୍ତୁ ଏହି ୧୧ ମାସରେ ଯେଉଁ ସବୁ କାମ ହୋଇଛି ସେଥିରେ ବି ଦୁର୍ନୀତି ହୋଇଛି ବୋଲି କୁହାଯାଇପାରିବ । ଏନେଇ ମୁଖ୍ୟମନ୍ତ୍ରୀ ତଦନ୍ତ କରିବେ କି ? ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ ।
୍ୱମୁଖ୍ୟମନ୍ତ୍ରୀ କହୁକହୁ ଆଉ ଏକ ସାଂଘାତିକ କଥା କହିଛନ୍ତି । ଯାହାର ମର୍ମ ହେଉଛି, ଏବେବି ଅନେକ ବିଡ଼ିଓ ପୂର୍ବ ସରକାରଙ୍କ ଢାଞ୍ଚାରେ ଯାଉଛନ୍ତି । ପୂର୍ବ ସରକାରଙ୍କ ଢାଞ୍ଚାରେ ଯାଉଛନ୍ତିମାନେ ପଞ୍ଚାୟତ ଓ ବ୍ଳକ ଏବେ ବିଜେଡ଼ି ହିସାବରେ ହିଁ ଯାଉଛି କହିଲେ ଭୁଲ୍ ହେବନାହିଁ । ମୁଖ୍ୟମନ୍ତ୍ରୀ ବହୁବାର କହିଲେଣି, ଆଉ ସେକାଳ ପଖାଳ ନାହିଁ । ଦାୟିତ୍ୱ ନେବା ପରଠାରୁ ମୋହନ ମାଝୀ ଶହେ ଥର ଏଇ କଥା କହିସାରିଲେଣି । ତାଗିଦ୍ ପରେ ତାଗିଦ୍ ବି କରୁଛନ୍ତି । କିନ୍ତୁ କାର୍ଯ୍ୟାନୁଷ୍ଠାନ ଘର ଶୂନ୍ । ତେଣୁ ମୁଖ୍ୟମନ୍ତ୍ରୀ କେବଳ ଏମିତି ତାଗିଦ୍ କରିବେ ନା ଆଗକୁ କାର୍ଯ୍ୟାନୁଷ୍ଠାନ ନେବେ ? ସାଧାରଣ ଲୋକ ତାହାକୁ ହିଁ ଅପେକ୍ଷା କରିଛନ୍ତି ।