ମାନସିକ ଅନଗ୍ରସର ଯୁବକଙ୍କୁ ଉଦ୍ଧାର କଲେ ବିଧାୟକ 

 ବେତନଟୀ : ୨୦୧୭ ସମିହାରେ ଗାଁ ପାଖ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ଜନୈକ ମାନସିକ ଅନଗ୍ରସରତା ଯୁବକଙ୍କୁ ୮ବର୍ଷ ପରେ ପୁନର୍ବାର ଫେରାଇ ଆଣି ମା’ କୋଳରେ ଦେଲେ ବଡ଼ସାହି ବିଧାୟକ  ।
ଘଟଣାରୁ ପ୍ରକାଶ, ବେତନଟୀ ସ୍ଥିତ ମୁକ୍ତାପୁର ପଞ୍ଚାୟତର ଛଚିନାପଦା ଗ୍ରାମର ଶିବଶଙ୍କର ମହାନ୍ତ ଏବଂ ପ୍ରମିଳା ମହାନ୍ତଙ୍କର ଦୁଇପୁଅ ହେଉଛନ୍ତି କ୍ଷେତ୍ରମୋହନ(୩୯) ଓ ଦୀନକୃଷ୍ଣ(୩୨) । ସାନପୁଅ ଦୀନକୃଷ୍ଣଙ୍କୁ ଯେତେବେଳେ ବୟସ ୨୨ ବର୍ଷ ହୋଇଥିଲା ସେତେବେଳେ ହଠାତ୍ ତାଙ୍କର ମାନସିକ ଅସନ୍ତୁଳନତା ଦେଖାଦେବା ଆରମ୍ଭ ହୋଇଥିଲା ବୋଲି ବଡଭାଇ କ୍ଷେତ୍ରମୋହନ ସୂଚନା ଦେଇଛନ୍ତି । ମାନସିକ ଅନଗ୍ରସରତା ପାଇଁ ଦୀନକୃଷ୍ଣଙ୍କୁ ଏକୁଟିଆ ବାହାରକୁ ଛଡାଯାଉ ନଥିବା ବେଳେ ସେ କେବଳ ଘରପାଖ ଫୁଟବଲ ପଡିଆ ନଚେତ ସକାଳବେଳା ଗାଁ ପାଖ ନଈକୁ ଗାଧୋଇବାକୁ ଯାଇଥାନ୍ତି । ସବୁଦିନ ଭଳି ୨୦୧୭ ମସିହା ମେ’ମାସ ୨୮ତାରିଖ ଦିନ ପୂର୍ବାହ୍ନରେ ଦୀନକୃଷ୍ଣ ଗାଁ ନଈକୁ ଗାଧୋଇବାକୁ ଯାଇଥିଲେ  । ଫେରିବାରେ ବିଳମ୍ବ ହୋଇଥିଲେ ସୁଦ୍ଧା ଘରଲୋକେ ବିଶେଷ ଧ୍ୟାନ ଦେଇନଥିଲେ । ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଦିନକୃଷ୍ଣ ଘରକୁ ନ ଫେରିବାରୁ ପୁରା ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ସମସ୍ତ ସମ୍ପର୍କୀୟ ବେତନଟୀ ବଜାର ଏବଂ ଆଖପାଖ ଗାଁଗଣ୍ଡା ସବୁଠି ଖୋଜାଖୋଜି କରି ନ ପାଇ ନିରାଶ ହେବାପରେ ଶେଷରେ ୨୦୧୭ ମସିହା ଜୁନମାସ ୨ତାରିଖ ଦିନ ବାପା ଶିବଶଙ୍କର ମହାନ୍ତ ବେତନଟୀ ଥାନାରେ ପୁଅ ଦୀନକୃଷ୍ଣର ନିଖୋଜ ଏତଲା ଦାଏର କରିଥିଲେ । ସେବେଠାରୁ ଦୀନକୃଷ୍ଣଙ୍କର କୌଣସି ଖୋଜଖବର ମିଳିନଥିଲା । ପୁଅ ନିଖୋଜ ହେବା ପରେ ମା’ଆଖୁରୁ ଲୁହ ଶୁଖୁନଥିଲା । ଦିନ ପରେ ଦିନ ମାସ ପରେ ମାସ ଏବଂ ବର୍ଷ ପରେ ବର୍ଷ ବିତି ଚାଲିଥିବାବେଳେ ଦୀନକୃଷ୍ଣଙ୍କୁ ଫେରିପାଇବାର ଆଶା ମଧ୍ୟ ପରିବାର ଲୋକେ ଏକପ୍ରକାର ଛାଡିଦେଇଥିଲେ । ତେବେ ହଠାତ୍ ଉତ୍ତରପ୍ରଦେଶର ବରେଲି ସ୍ଥିତ ଶାହାଜାହାନପୁରରେ ରାସ୍ତା ପାର୍ଶ୍ୱସ୍ଥ ଅସହାୟ ବ୍ୟକ୍ତି ବିଶେଷ କରି ମାନସିକ ଅନଗ୍ରସରଙ୍କ ପାଇଁ କାମ କରୁଥିବା ମନସମର୍ପଣ ପୁନର୍ବାସ ଥଇଥାନ କେନ୍ଦ୍ର ପକ୍ଷରୁ ଦୀନକୃଷ୍ଣଙ୍କର ଏକ ଭିଡିଓ ଏବଂ ଫଟୋ ଜାରି କରାଯାଇଥିଲା । ଉକ୍ତ ଭିଡିଓରେ ଦୀନକୃଷ୍ଣ ଅସ୍ପଷ୍ଟ ଭାଷାରେ ବାପାଙ୍କ ନାମ ଶିବଶଙ୍କର ମହାନ୍ତ ଏବଂ ଭାଇଙ୍କ ନାମ କ୍ଷେତ୍ରମୋହନ ବୋଲି କହିବା ସହିତ ଘର ବେତନଟୀ ବୋଲି କହିଥିଲେ । ଏହାପରେ ମନସମର୍ପଣ ପୁନର୍ବାସ ଥଇଥାନ କେନ୍ଦ୍ର ପକ୍ଷରୁ ଇଣ୍ଟରନେଟରେ ବେତନଟୀ ବିଷୟରେ ତଥ୍ୟସଂଗ୍ରହ କରି ଦୀନକୃଷ୍ଣଙ୍କ ଫଟୋ ଓ ଭିଡିଓ ଜାରି କରାଯାଇଥିଲା । ବେତନଟୀ ମଣ୍ଡଳ ସଭାପତି ଜୀବନ ପରିଡାଙ୍କୁ ପ୍ରଥମେ ଏହି ଭିଡିଓ ଦେଖାଇବା ପରେ ସେ ବଡସାହି ବିଧାୟକ ସନାତନ ବିଜୁଳିଙ୍କୁ ଏ ବାବଦରେ ଅବଗତ କରିବା ସହିତ ଦୀନକୃଷ୍ଣଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ । ବିଧାୟକ ଶ୍ରୀଯୁକ୍ତ ବିଜୁଳି ଏ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ, ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ସହିତ ଆଲୋଚନା କରିଥିଲେ । ବିଧାୟକ ସନାତନ ବିଜୁଳିଙ୍କ ହସ୍ତକ୍ଷେପ କ୍ରମେ ଜିଲ୍ଲାପ୍ରଶାସନର ଆର୍ଥର୍ôକ ସହାୟତାରେ ଦୀନକୃଷ୍ଣଙ୍କ ବଡଭାଇ କ୍ଷେତ୍ରମୋହନ ବେତନଟୀ ଥାନା କନଷ୍ଟେବଳ ଅର୍ଜୁନ ବିନ୍ଧାଣିଙ୍କ ସହିତ ଉତ୍ତରପ୍ରଦେଶ ଗସ୍ତ କରିଥିଲେ । ସେଠାରେ ମନସମର୍ପଣ ପୁନର୍ବାସ ଥଇଥାନ କେନ୍ଦ୍ରରେ ଥିବା ଦୀନକୃଷ୍ଣଙ୍କୁ ସାକ୍ଷାତ କରିଥିଲେ । ଆବଶ୍ୟକ କାଗଜପତ୍ର କାମ ସାରି ସେଠାରୁ କ୍ଷେତ୍ରମୋହନ ଓ ବେତନଟୀ ପୁଲିସ ଦୀନକୃଷ୍ଣଙ୍କୁ ସାଙ୍ଗରେ ନେଇ ରବିବାର ପୈତୃକଗାଁ ଛଚିନାପଦାରେ ପହଞ୍ଚିଥିଲେ । ଦୀର୍ଘ ୮ବର୍ଷ ପରେ ନିଖୋଜ ଥିବା ପୁଅକୁ ପାଇ ଅସହାୟ ମା’ ଆଖୁରୁ ଝରି ଚାଲିଥିଲା ଆନନ୍ଦର ଅଶ୍ରୁ । ବିଧାୟକ ସନାତନ ବିଜୁଳି, ମଣ୍ଡଳ ସଭାପତି ଜୀବନ ପରିଡା, ଯୁବ ସଂଗଠକ ଚନ୍ଦ୍ରଶେଖର ବେରା,ଯୁବ ନେତା କ୍ଷିତୀଶ ମହାନ୍ତ, ସଞ୍ଜୀବ ଜେନା, କେସବ ନାଥ, ସୈମ୍ୟ ମହାପାତ୍ର, ବୀର କିଶୋର ବିଶ୍ୱାଳ, ଅଜିତ ମହାନ୍ତ ପ୍ରମୁଖ ଶିବଶଙ୍କରଙ୍କ ଘରେ ପହଞ୍ଚିଥିଲେ । ମାନସିକ ଅନଗ୍ରସର ଦୀନକୃଷ୍ଣଙ୍କ ମାନସିକ ଚିକିତ୍ସାା ପାଇଁ ବିଶେଷଜ୍ଞଙ୍କ ସହିତ ବିଚାରବିମର୍ଶ କରି ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମଧ୍ୟ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।