ଅସହ୍ୟ ତାତି; ଅଘୋଷିତ କର୍ଫୁ୍ୟ

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଛି । ଏହା ସାଙ୍ଗକୁ ଝାଞ୍ଜି ପବନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖରାର ପ୍ରକୋପ ରହୁଥିବାରୁ ପୂର୍ବାହ୍ନରୁ ଅପରାହ୍ନ ସୁଦ୍ଧା ସାଧାରଣ ଲୋକେ ଜରୁରୀ କାମ ନଥିଲେ ରାସ୍ତାକୁ ବାହାରୁ ନାହାଁନ୍ତି । ଏପରିକି ମଧ୍ୟାହ୍ନ ପରେ ବ୍ୟସ୍ତପୂର୍ଣ୍ଣ ରାସ୍ତା ଓ ଜନଗହଳିପୂର୍ଣ୍ଣ ଛକର ଅବସ୍ଥା କର୍ଫୁ୍ୟ ଭଳି ଦୃଶ୍ୟମାନ ହେଉଛି । ଏତେ ଲମ୍ବା ସମୟ ଧରି ଲଗାଏତ ୪୦ ଡିଗ୍ରୀ ସେଲ୍ସିୟସ୍ ଉପରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ପ୍ରଥମ ବୋଲି କୁହାଯାଉଛି । ଗତକାଲି ସମ୍ବଲପୁରରେ ତାପମାତ୍ରା ଏ ବର୍ଷର ସର୍ବାଧିକ ୪୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜି ୪୨.୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । ଚଳିତ ମାସର ପ୍ରଥମାର୍ଦ୍ଧରେ କାଳବୈଶାଖୀ ଯୋଗୁଁ କ୍ରମଶଃ ବୃଦ୍ଧି ପାଉଥିବା ତାପମାତ୍ରା ହ୍ରାସ ପାଇଥିବାରୁ ଲୋକେ ଆଶ୍ୱସ୍ତି ପାଇଥିଲେ । ହେଲେ ଚଳିତ ମାସ ସମ୍ବଲପୁରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସରକାରୀ ଡାକ୍ତରଖାନାମାନଙ୍କରେ ଅଂଶୁଘାତ ଯୋଗୁଁ ଅସୁସ୍ଥ ୧୨ ଜଣ ସୁସ୍ଥ ହୋଇ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଜିଲ୍ଲା ସଦର ଡାକ୍ତରଖାନାରେ ବର୍ହି ବିଭାଗରେ ୨ଟି ଓ ଇନ୍ଡୋରରେ ୪ଟି ଶଯ୍ୟା ସହିତ ଏସି କକ୍ଷର ବ୍ୟବସ୍ଥା କରାଯାଇଛି । କୁଚିଣ୍ଡା ଓ ରେଢ଼ାଖୋଲ ସବ୍ଡିଭିଜନ ଡାକ୍ତରଖାନାରେ ୪ଟି କରି ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇଟି ଲେଖାଏଁ ଶଯ୍ୟା ଅଂଶୁଘାତ ଉପଚାର ଲାଗି ସଂରକ୍ଷିତ ରଖାଯାଇଛି । ସମ୍ବଲପୁର ମହାନଗର ନିଗମ ପକ୍ଷରୁ ମୁଖ୍ୟ ରାସ୍ତା ଓ ଛକମାନଙ୍କରେ ଥିବା ୨୨ଟି ଅମୃତ ଧାରା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ୫୦ଟି ଜଳଛତ୍ର ଖୋଲାଯାଇଛି । ପାନୀୟ ଜଳ ଯୋଗାଣ ସମ୍ପର୍କିତ ଅଭିଯୋଗର ପ୍ରତିକାର ପାଇଁ ମହନଗର ନିଗମ ଜଳସାଥୀ ଓ ୱାଟ୍କୋର ଅଧିକାରୀମାନଙ୍କୁ ନେଇ ୱାର୍ଡୱାର ସ୍କ୍ୱାର୍ଡ ଗଠନ କରାଯାଇଥିବା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ।