ଶହୀଦଙ୍କ ଟଙ୍କା ହଡପ ମାମଲା; ପୋଷ୍ଟମାଷ୍ଟର ଦଣ୍ଡିତ

ମାଲକାନଗିରି: ଶହୀଦ ପରିବାରର ଟଙ୍କା ହଡପ ମାମଲାରେ ମାଲକାନଗିରି ପୋଷ୍ଟମାଷ୍ଟର ଖାଉଟି ଅଦାଲତରେ ଦଣ୍ଡିତ ହୋଇଛନ୍ତି । ଏଥିସହ କ୍ଷତିପୂରଣ ବାବଦକୁ ୧୦ ହଜାର ଟଙ୍କା ଓ ଅଭିଯୋଗକାରୀଙ୍କୁ ହଇରାଣ କରିଥିବାରୁ ୧ ହଜାର ଟଙ୍କା ଜରିମାନା ପୈଠ କରିବାକୁ ନିଦେ୍ର୍ଦଶ ହୋଇଛି । ସୂଚନା ଅନୁସାରେ ମାଲକାନଗିରି ସଦର ମହକୁମାରେ ରହୁଥିବା ସୁରେଶ ହାଲୱାଙ୍କ ଭାଇ ରମେଶ ହାଲୱା ଜଣେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ବର୍ଷ ପୂର୍ବେ ସେ ଶହୀଦ ହୋଇଥିଲେ । ତେବେ ସରକାରଙ୍କ ତରଫରୁ ସହିଦ ପରିବାରକୁ ଆର୍ଥିକ ସହାୟତା ମିଳିଥିବା ବେଳେ ଉକ୍ତ ଟଙ୍କାକୁ ଶହୀଦ ରମେଶଙ୍କ ସାନ ଭାଇ ସୁରେଶ ହାଲୱା ପୋଷ୍ଟ ଅଫିସ୍ରେ ୩ବର୍ଷ ପାଇଁ ଏପ୍ଡି ଆକାରରେ ଜମା କରିଥିଲେ । ତେବେ ମ୍ୟାଚୁରିଟି ହେବା ପରେ ଟଙ୍କା ପାଇଁ ପୋଷ୍ଟ ଅଫିସ୍କୁ ଯିବାରୁ ପୋଷ୍ଟମାଷ୍ଟର ଟଙ୍କା ଜମା ହୋଇ ନ ଥିବା କହିଥିଲେ । ସେତେବେଳେ ଯେଉଁ ପୋଷ୍ଟମାଷ୍ଟର ଥିଲେ ସେ ଏହି ଟଙ୍କାକୁ ଚଞ୍ଚକତା କରି ୨ଲକ୍ଷ ଲେଖାଏଁ ଦୁଇଟି ଖାତା ଦେଇ ଟଙ୍କା ହଡ଼ପ କରିଥିଲେ ବୋଲି କହିଥିଲେ । ଏନେଇ ଶହୀଦଙ୍କ ପରିବାର କୋରାପୁଟ ସୁପରିଟେଣ୍ଡେଣ୍ଟଙ୍କୁ ଅଭିଯୋଗ କରିବା ପରେ ଏହା କଲିକତାକୁ ତଦନ୍ତ ପାଇଁ ପଠାଯାଇଥିବା କହିଥିଲେ । ଶେଷରେ ସୁରେଶ ହାଲୱା ମାଲକାନଗିରି ଖାଉଟି ଅଦାଲତର ସହାୟତ ନେଇଥିଲେ । ଖାଉଟି ଅଦାଲତର ସଭାପତି ପିକେ ପଣ୍ଡା ଓ ସଦସ୍ୟା ସଲମା ବାନୋ ଦୁଇ ପକ୍ଷର ସମସ୍ତ ଅଭିଯୋଗ ଶୁଣିବା ସହ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ତୁରନ୍ତ ଏଫ୍ଡିରେ ଜମା ହୋଇଥିବା ମୂଳ ଟଙ୍କା ସହ ସୁଧ ଫେରାଇବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହ ୧୦ ହଜାର ଟଙ୍କା କ୍ଷତି ପୂରଣ ଓ ୧ ହଜାର ଟଙ୍କା ଅଭିଯୋଗକାରୀଙ୍କୁ ହଇରାଣ କରି ଥିବାରୁ ଜୋରିମାନା ପୈଠ କରିବାକୁ ନିର୍ଦେଶ ଦେଇଛନ୍ତି । ଆସନ୍ତା ୩୦ ଦିନ ମଧ୍ୟରେ ଟଙ୍କା ପୈଠ ନ କଲେ ୧୨ ପ୍ରତିଶତ ସୁଧରେ ସମସ୍ତ ଟଙ୍କା ଫେରାଇବେ ବୋଲି ରାୟ ଶୁଣାଇଛନ୍ତି ଅଦାଲତ ।