ପୋଲରେ ପିଟିହେଲା ବୁଲେଟ୍; ୨ ମୃତ 


 ଭୁବନେଶ୍ୱର : ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଦ୍ରୁତ ଗତିରେ ବୁଲେଟ ଚଳାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ହଠାତ୍ ସ୍ପିଡ ବ୍ରେକର ଆସିଯିବାରୁ ଭାରସାମ୍ୟ ହରାଇଲେ ବୁଲେଟ ଚାଳକ । ଫଳରେ ବୁଲେଟ ସହ ଇଲେକ୍ଟ୍ରିକ୍ ପୋଲ, ଗଛ ଏବଂ ପାର୍କିଂରେ ଥିବା କାରରେ ପିଟି ହେଲେ ଦୁଇ ଯୁବକ । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ପାଖରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତୁ୍ୟ ଘଟିଛି । ଦୁଇ ମୃତକମାନେ ହେଲେ ଦେବୀ ପ୍ରସାଦ ପରିଡା ଏବଂ ଅନ୍ୱସ ସତ୍ୟଦର୍ଶନ ଦାସ । ଉଭୟ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ହୋଇଥିବା ସୂଚନା ମିଳିଛି । ସେପଟେ ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।
 ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ୱିତ ରାତିରେ ଦୁଇ ଜଣ ଯୁବକ ହାଇ ସ୍ପିଡରେ ବାଇକ ଚଲାଇ ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି-୨ ଭାରସାମ୍ୟ ହରାଇଥିଲେ । ଫଳରେ ସେହି ସମୟରେ ଗାଡିର ବେଗ ଅଧିକ ଥିବାରୁ ଏକ ଇଲେକ୍ଟ୍ରିକ୍ ପୋଲରେ ପିଟି ହୋଇ ପୁଣି ଏକ ଗଛରେ ପିଟିହୋଇଥିଲେ ଓ ପାର୍କିଂରେ ଥିବା ଏକ କାର୍ ସହ ପିଟି ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ମୃତୁ୍ୟ ଘଟିଥିଲା । ଏହି ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଲେଟ ବାଇକକୁ ଜବତ କରିବା ସହ ଦୃର୍ଘଟଣାରେ ମୃତୁ୍ୟ ବରଣ କରିଥିବା ୨ ଜଣ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ଦୁହିଁଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ଶବ ଗୃହକୁ ପଠାଯିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଗୁରୁବାର ସକାଳୁ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କ ହସ୍ତାନ୍ତର କରିଛି ଏବଂ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।