ଆସୁଛି ବାତ୍ୟା ‘ଦାନା’ : କାଲି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର

ଆସୁଛି ବାତ୍ୟା ‘ଦାନା’ : କାଲି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଦାନା’ । ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ।   ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗର ସଚିବ ବୈଠକରେ ଯୋଗ ଦେଇଛନ୍ତି। ବାତ୍ୟାକୁ ନେଇ ପ୍ରତ୍ୟେକ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ସେନେଇ ବୈଠକରେ ଆଲୋଚନା ହୋଇଛି। ସମସ୍ତ ବିଭାଗ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ତେବେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଜିଲା ପ୍ରଶାସନ ପକ୍ଷରୁ ଗ୍ରାଉଣ୍ଡ ଜିରୋରେ ତଦାରଖ ଚାଲିଛି। କାଲି ସନ୍ଧ୍ୟା ସୁଦ୍ଧା ସରକାର ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର କରାଯିବ। ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି। ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ରେଡ ଆଲର୍ଟ ଜାରି ହୋଇଥିବା ଜିଲାରେ ଅଧିକ ଏନଡିଆରଏଫ ଓ ଓଡ୍ରାଫ ଟିମ୍‌‌ ନିୟୋଜିତ ରହିବେ।

ପ୍ରକାଶ ଯେ  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଆଜି ସକାଳେ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ଏହାର ବାତ୍ୟାର ରୂପ ନେବ।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। 
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋପ୍ରେସରଟି ଆଜି ଡିପ୍ରେସନରେ ପରିଣତ ହୋଇଛି। ଏହା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ଅବପାତଟି ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ୱୀପରୁ ୭୭୯ କିଲୋମିଟର ଦୂରରେ ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ।ଆସନ୍ତାକାଲି ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ଏହାପରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ପରେ ଏହା ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।