କୁଅ ଦିଏ ମୃତ୍ୟୁର ଭବିଷ୍ୟବାଣୀ

ଭାରତୀୟଙ୍କର ଧର୍ମ ଉପରେ ଖୁବ୍ ଆସ୍ଥା ଓ ବିଶ୍ୱାସ ରହିଛି । କାରଣ ଆମ ଧର୍ମର ପୌରାଣିକ ମହତ୍ୱ ଥିବାସହ ଏହା ବିଜ୍ଞାନ ସହ ବି ଜଡ଼ିତ । ତେଣୁ ଇଶ୍ୱରଙ୍କ ସହ ଜଡ଼ିତ ସବୁକଥା ଉପରେ ଭାରତୀୟମାନେ ବିଶ୍ୱାସ କରନ୍ତି । ଯେମିତିକି ବାରଣାସୀରେ ଥିବା ଏକ କୂଅ ସହ ଲୋକଙ୍କର ଏକ ଅଜବ ବିଶ୍ୱାସ ଜଡିତ ଅଛି । କୁହାଯାଏ ଏହି କୁଅ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥାଏ । ଭାବୁଥିବେ କୁଅ ତ ପାଣି ଯୋଗାଏ, ତାହା ପୁଣି ମୃତ୍ୟୁର କଥା କେମିତି କହିବ । ବାରାଣସୀର ଏହି ଅଦ୍ଭୁତ କୂଅର ନାଁ ‘ଚନ୍ଦ୍ରକୁପ’ । ଦେଖିବାକୁ ଏହା ସାଧାରଣ ଲାଗିଲେ ବି କୁଅଟି ଆଦୌ ସାଧାରଣ ନୁହେଁ । କୁହାଯାଏ ଏହି କୁଅ ଲୋକଙ୍କ ମୃତ୍ୟୁର ଭବିଷ୍ୟବାଣୀ ଦେଇଥାଏ । କୁଅଟି କାଶୀ ବିଶ୍ୱନାଥ ମନ୍ଦିର ପାଖରେ ଅଛି । ଏହା ସିଦେ୍ଧଶ୍ୱରୀ ମନ୍ଦିରର ଏକ ଅଂଶ ଅଟେ, ଯାହାକି ଚନ୍ଦେଶ୍ୱର ଲିଙ୍ଗ ପାଇଁ ବହୁ ପ୍ରସିଦ୍ଧ । ହିନ୍ଦୁଧର୍ମ ଅନୁଯାୟୀ ଚନ୍ଦେଶ୍ୱର ଲିଙ୍ଗ ସେହି ନଅ ଲିଙ୍ଗର ଅଂଶ ଅଟେ, ଯାହାକୁ ନବଗ୍ରହ ଶିବଲିଙ୍ଗ କୁହାଯାଏ । ଲୋକେ ଶିବଲିଙ୍ଗର ପୂଜା କରିବା ପରେ ଏହି କୁଅକୁ ନିଶ୍ଚିତଭାବେ ଆସନ୍ତି । କୁହାଯାଏ ଏହି ଚନ୍ଦ୍ରକୁପକୁ ଜଣେ ଶିବଭକ୍ତ ତିଆରି କରିଥିଲେ । ଯାହାଙ୍କ ତପସ୍ୟାରେ ଖୁସି ହୋଇ ଭଗବାନ ଶିବ ଉକ୍ତ କୁଅକୁ ଆଶୀର୍ବାଦ ଦେଇଥିଲେ । ସେବେଠାରୁ ଏହି କୁଅ ଲୋକଙ୍କୁ ମୃତ୍ୟୁ ଜନିତ ଭବିଷ୍ୟବାଣୀ ଦେଉଛି । ମୃତ୍ୟୁ କେବେ ହେବ ଜାଣିବାଲାଗି ଏଠାକୁ ଆସୁଥିବା ଲୋକଙ୍କୁ କୁଅ ପାଣିକୁ ଅନାଇବାକୁ ହୁଏ । ଯଦି ଆପଣଙ୍କ ଛାଈ କୁଅ ଜଳରେ ଦେଖାଯାଏ, ତେବେ ନିକଟ ଭବିଷ୍ୟତରେ ମୃତ୍ୟୁ ହେବାର ଆଶଙ୍କା ନାହିଁ । କିନ୍ତୁ ଛାଇ ନ ଦେଖାଗଲେ ବିଶ୍ୱାସ କରାଯାଏ ସେହି ବ୍ୟକ୍ତିଙ୍କ ମୃତ୍ୟୁ ୬ମାସ ଭିତରେ ହେଇଯିବ । ଆଉ ଏହା ସତ ବୋଲି ଅନେକ ଥର ପ୍ରମାଣିତ ହୋଇଥିବାର ଏଠାକାର ଅଧିବାସୀ କୁହନ୍ତି । ଲୋକେ ମନ୍ଦିରରେ ପୂଜା କରିସାରି ଏହି କୁଅ ପାଖକୁ ଯେମିତି ବି ହେଉ ଆସନ୍ତି । କାରଣ ପୂଜାରୀଙ୍କ କହିବାନୁସାରେ ପୂଜା ପରେ ଏହାର ପାଣି ନ ପିଇଲେ ପୂଜା ସମ୍ପନ୍ନ ହୋଇ ନ ଥାଏ ।