ମର୍ମନ୍ତୁଦ ଦୁର୍ଘଟଣା:୩ ଯୁବକ ମୃତ
କୋଣାର୍କ: କୋଣାର୍କ ବଢ଼େଇ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି। କୋଣାର୍କ-କାକଟପୁର ରାସ୍ତାର ବଢ଼େଇ ଛକରେ ବାଇକ୍ରେ ୩ଜଣ ଯୁବକ କୋଣାର୍କରୁ କାକଟପୁର ଯାଉଥିବା ବେଳେ ବିଳମ୍ବିତ ରାତି ପ୍ରାୟ ୧ ଟା ୪୫ରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ବାଇକ୍ଟି ନିୟନ୍ତ୍ରଣ ହରାଇ ବଢ଼େଇ ଛକରେ ଥିବା ମଣ୍ଡପକୁ ଧକ୍କା ଦେଇଥିଲା। ସମସ୍ତଙ୍କୁ କୋଣାର୍କ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଗୋପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ସେଠାରେ ଦୁଇଜଣ ମୃତ୍ୟୁବରଣ କରିଥିଲେ। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନତରିତ କରାଯାଉଥିବାବେଳେ ଅଧାବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ଯୁବକଙ୍କ ବୟସ ୧୮ରୁ ୨୫ବର୍ଷ ବୟସ ମଧ୍ୟରେ ଥିବା କୁହାଯାଉଛି।ମୃତକମାନେ ହେଉଛନ୍ତି ତୁଳସୀପୁର ଦଣ୍ତିକିରା ଗ୍ରାମର ଦିପକ୍ ମଲିକ, ସାଗର ମଲ୍ଲିକ, ତୁଳସୀପୁର ଗ୍ରାମର ସତ୍ୟପ୍ରକାଶ ସାହୁ।