ଛାତ୍ରଙ୍କ ଉପରେ ଛତୁଆ ବୋଝେଇ ଟ୍ରକ୍ ମାଡ଼ି ଚାଲିଗଲା ଜୀବନ
କେନ୍ଦୁଝର ଜିଲା ସୋସୋ ଥାନା ହଦଗଡ଼ ଚେତନା କେନ୍ଦ୍ର ନିକଟରେ ଏକ ଛତୁଆ ବୋଝେଇ ଟ୍ରକ୍ ଚଢ଼ିଯିବାରୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଏବଂ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ବେଳେ କ୍ଷତିପୂରଣ ଦାବିରେ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକ ହଦଗଡ଼-ଛେନାପଦୀ ରାସ୍ତାର ଚେତନା କେନ୍ଦ୍ରଠାରେ ରାସ୍ତାରୋକୋ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଥିବା ବେଳେ ଛତୁଆ ବୋଝେଇ ଟ୍ରକ୍କୁ ଜବତ କରିଛି।ସୂଚନାନୁସାରେ ଭଦ୍ରକ ଜିଲା ବନ୍ତ ଥାନା ଦୋଳପଦୀ ଗ୍ରାମର ବାପା କାଳିଆ ମୁଣ୍ଡା, ମା ମୁକ୍ତା ମୁଣ୍ଡାଙ୍କ ସହ ପୁଅ ଆକାଶ (୫ ବର୍ଷ) ଯୀଶୁ ଖ୍ରୀଷ୍ଟଙ୍କ ଏକ ପର୍ବ ଉତ୍ସବରେ ଯୋଗ ଦେବାକୁ ହଦଗଡ଼ ଚେତନା କେନ୍ଦ୍ର ନିକଟକୁ ଆସିଥିଲେ। ପୁଅ ଆକାଶ ଗୋଟିଏ ପଟୁ ଅନ୍ୟ ପଟକୁ ରାସ୍ତା ପାର ହେଉଥିଲେ। ଏହି ସମୟରେ ଦ୍ରୁତଗତିରେ ହଦଗଡ଼ ପଟୁ ଛେନାପଦୀ ଅଭିମୁଖେ ଯାଉଥିବା ଛତୁଆ ବୋଝେଇ ଟ୍ରକ୍ ଆକାଶଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଆକାଶଙ୍କ ମୃତ୍ୟୁ ଘଟିଥିଲା। ମୃତଦେହକୁ ରାସ୍ତାରେ ଉପରେ ରଖି ରାସ୍ତାରୋକୋ କରାଯାଇଥିଲା। ଘଟଣାସ୍ଥଳରେ ଅସନ୍ତୋଷ ଏବଂ ଉତ୍ତେଜନା ଲାଗି ରହିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଜଣେ ସରପଞ୍ଚଙ୍କ ସ୍ବାମୀଙ୍କ ହୋଇଥିବା ବେଳେ ତାଙ୍କ ଗୋଦାମ ଘରୁ ଛତୁଆ ବୋଝେଇ କରି ଫେରୁଥିଲା। କିନ୍ତୁ କେଉଁଠାକୁ ଛତୁଆ ପରିବହନ ହେଉଥିଲା ତାହା ସ୍ପଷ୍ଟ ହୋଇନି। ଅପରପକ୍ଷେ ଅଙ୍ଗନଓ୍ବାଡିକୁ ଯୋଗାଣ ହେଉଥିବା ଛତୁଆ ଉକ୍ତ ଟ୍ରକ୍ରେ ଚୋରାଚାଲାଣ ହେଉଥିବା ଆଲୋଚନା ହେଉଛି।