ଡାକ୍ତରୀ ଛାତ୍ରୀଙ୍କୁ କୁକର୍ମ ଓ ହତ୍ୟା ଇସ୍ତଫା ଦେଲେ ମେଡିକାଲ କଲେଜ ଅଧ୍ୟକ୍ଷ
ାା ଏଜେନ୍ସି ।ା କୋଲକାତା: ଇସ୍ତଫା ଦେଲେ ପଶ୍ଚିମବଙ୍ଗ କୋଲକାତାର ଆର୍ଜି କର ମେଡିକାଲ କଲେଜ ଅଧ୍ୟକ୍ଷ । ଏହି ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ କୁକର୍ମ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଚାରିଆଡେ ଆନେ୍ଦାଳନ ତେଜିବାରେ ଲାଗିଛି । ନ୍ୟାୟ ଦାବିରେ ଜୁନିୟର ଡାକ୍ତରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ ଆଜି ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଏହାରି ଭିତରେ ଉକ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ ସନ୍ଦିପ ଘୋଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଡାକ୍ତରୀ ଛାତ୍ରୀଙ୍କୁ କୁକର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ପ୍ରଥମେ ଆରଜି କର ମେଡିକାଲ କଲେଜର ଡାକ୍ତରମାନେ ବିରୋଧ ଆରମ୍ଭ କରିଥିଲେ । ଏହାପରେ ଅନ୍ୟ ସ୍ଥାନର ଡାକ୍ତରମାନେ ଏଥିରେ ଯୋଗ ଦେଇଥିଲେ । ବର୍ତ୍ତମାନ ଏମ୍ସର ଡାକ୍ତରମାନେ ମଧ୍ୟ ଏହି ଆନେ୍ଦାଳନରେ ସାମିଲ ହୋଇଛନ୍ତି । । ମୃତ ଡାକ୍ତରୀ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ ସହ ଘଟଣାର ତଦନ୍ତ କରି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ସହ ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବାକୁ ଦାବିରେ ଆନେ୍ଦାଳନକୁ ଓହ୍ଲାଇଛନ୍ତି ଡାକ୍ତର ସଂଘ । ରେସିଡେଣ୍ଟ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଛି ।
ସେପଟେ ପୁଲିସ ଏହି ମାମଲାରେ ତଦନ୍ତ ପୂରା କରି ନେଇଛି । ସଂଜୟ ରାୟ ନାମକ ଅଭିଯୁକ୍ତକୁ ପୁଲିସ ଗିରଫ ମଧ୍ୟ କରିସାରିଛି । ବ୍ୟବଚ୍ଛେଦର ଅନ୍ତିମ ରିପୋର୍ଟକୁ କେବଳ ପୁଲିସ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଆରମ୍ଭ ହେବ । ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ ଥିବା ଏହି ହସ୍ପିଟାଲରୁ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ଜଣେ ସିଭିକ୍ ଭଲୁ୍ୟଣ୍ଟାର ଭାବେ କାମ କରୁଥିଲା । ସେହି କାରଣରୁ ହସ୍ପିଟାଲ ଭିତରକୁ ତା'ର ଅବାଧ ପ୍ରବେଶ ଥିଲା । ସଞ୍ଜୟ ୪ ଥର ବିବାହ କରିଥିବା ବେଳେ ତା'ର ବ୍ୟବହାରରେ ଅତିଷ୍ଠ ହୋଇ ତିନି ଜଣ ପନôୀ ତାକୁ ଛାଡପତ୍ର ଦେଇଛନ୍ତି । ଘଟଣା ଦିନ ସଂଜୟ ଅଶ୍ଳୀଳ ଫିଲ୍ମ ଦେଖିବା ପରେ ଏଭଳି ପିଶାଚିକ କାଣ୍ଡ ଘଟାଇଥିବା ପୁଲିସ ଜାଣିବାକୁ ପାଇଛି । ଅପରପକ୍ଷେ ଏହି ଘଟଣାରେ ପଶ୍ଚିମବଙ୍ଗ ସରକାର ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ସଞ୍ଜୟ ବିଶିଷ୍ଠଙ୍କୁ ପଦରୁ ହଟାଇଦେଇଛନ୍ତି । ଏଥିସହ ଫିଜିଓଲଜି ପ୍ରଫେସର ଡକ୍ଟର ବୁଲବୁଲ ମୁଖପାଧ୍ୟାୟଙ୍କୁ ନୂଆ ସୁପରିଟେଣ୍ଡେଣ୍ଟ କମ୍ ଭାଇସ୍-ପ୍ରିନ୍ସିପାଲ ଭାବେ ନିଯୁକ୍ତ କରିଛନ୍ତି ।