ପାଣିଟାଙ୍କି ସଫା ବେଳେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ୫ ଶ୍ରମିକ ମୃତ
ଭୁବନେଶ୍ୱର : ପାଣିଟାଙ୍କି ସଫା କରିବା କାଳ ହେଲା । ନିର୍ମାଣାଧୀନ କୋଠାର ଭୂତଳ ପାଣିଟାଙ୍କି ପାଣିଟାଙ୍କି ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୫ ଶ୍ରମିକ ପ୍ରାଣ ହରାଇଛନ୍ତି । ଦକ୍ଷିଣ ମୁମ୍ବାଇ ନାଗପଡ଼ା ଅଞ୍ଚଳର ଡିମିଟିମକର ରୋଡ୍ ସ୍ଥିତ ବିସମିଲ୍ଲା ସ୍ପେସ୍ ବିଲଡିଂରେ ଏହି ଅଘଟଣ ଘଟିଛି । ମଧ୍ୟାହ୍ଣ ୧୨.୩୦ ସମୟରେ ୫ଜଣ ଶ୍ରମିକ ଦୀର୍ଘତମ ଭୂତଳ ପାଣିଟାଙ୍କିରେ ପଶି ଏହାକୁ ସଫା କରୁଥିଲେ । ଟାଙ୍କି ଅତ୍ୟଧିକ ଗଭୀର ହୋଇଥିବାରୁ ଭିତରକୁ ଅମ୍ଳଜାନ ଅପହଞ୍ଚ ହୋଇଥିଲା । ଫଳରେ ଶ୍ରମିକମାନେ ସେଇ ଟାଙ୍କି ଭିତରେ ହିଁ ସଂଜ୍ଞାହୀନ ହୋଇପଡ଼ିଥିଲେ । ସେଠାରେ ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚô ସମସ୍ତଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରି ନିକଟସ୍ଥ ଜେଜେ ମେଡିକାଲ୍ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶ୍ରମିକମାନେ ହେଲେ ୧୯ ବର୍ଷୀୟ ହସିପାଲ ଶେଖ, ରାଜା ଶେଖ (୨୦), ଜିଆଉଲ୍ଲାହ ଶେଖ (୩୬), ଇମାଣ୍ଡୁ ଶେଖ (୩୮) ଏବଂ ପୁରହାନ ଶେଖ (୩୧) ।
ଅପରପକ୍ଷେ ଜେଜେ ପୁଲିସ ଷ୍ଟେସନ୍ରେ ଦୁର୍ଘଟଣାଜନିତ ମୃତୁ୍ୟ ରିପୋର୍ଟ (ଏଡିଆର୍) ପଞ୍ଜିକୃତ କରାଯାଇଛି । ମୃତ ୫ ଜଣଙ୍କୁ ନିଯୁକ୍ତି ଦେଇଥିବା ଲୋକଙ୍କ ପକ୍ଷରୁ କୌଣସି ତ୍ରୁଟି ଥିଲା କି ନାହିଁ ଏବଂ ସୁରକ୍ଷା ପ୍ରୋଟୋକଲ ପାଳନ କରାଯାଇଥିଲା କି ନାହିଁ ତାହାର ତଦନ୍ତ ଜାରି ରହିଛି ବୋଲି ପୁଲିସ୍ ସୂଚନା ଦେଇଛି । ସନ୍ଧ୍ୟା ସୁଦ୍ଧା ଅଗ୍ନିଶମ ବାହିନୀ, ବିଏମସି ଏବଂ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ରହି ଘଟଣାର ତନାଘନା କରୁଛନ୍ତି ।