ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତୁ୍ୟ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଇନ୍ଦିପୁର ଗ୍ରାମପଂଚାୟତ ତାମଡା ଗ୍ରାମର ମହେଶ୍ୱର ପ୍ରଧାନ (୭୬) ବୁଧବାର ସକାଳେ ଗାଁମୁଣ୍ଡ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ମୃତୁ୍ୟବରଣ କରିଛନ୍ତି । ସଦର ରେଞ୍ଜ ଭାପୁର ସେକ୍ସନ ଇନ୍ଦିପୁର ବିଟ୍ ତାମଡା ଗ୍ରାମର ମହେଶ୍ୱର ପ୍ରଧାନ ସକାଳୁ ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଆମ୍ବ ଗୋଟାଉଥିବାବେଳେ ଏକ ହାତୀ ହାବୁଡରେ ପଡିଥିଲେ । ହାତୀ ହାବୁଡରୁ ରକ୍ଷା ପାଇବା ପାଇଁ ସେ ପ୍ରାଣବିକଳରେ ଦୌଡି ପଳାଇବାକୁ ଚେଷ୍ଟାକରିଥିଲେ ମଧ୍ୟ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଖବର ପାଇ ସଦର ରେଞ୍ଜର ଉତ୍ସବ ଚନ୍ଦ୍ର ପ୍ରଧାନ ଓ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ହାତୀକୁ ଘଉଡାଇବା ଲାଗି ଆମ କର୍ମଚାରୀମାନେ ରାତିରେ ପେଟ୍ରୋଲିଂ କରୁଛନ୍ତି । ଭୋରରୁ ଜଙ୍ଗଲ ଅଂଚଳକୁ ନଯିବାଲାଗି ଲୋକମାନଙ୍କୁ ସଚେତନ କରାଯାଉଛି । ମାତ୍ର ଆମ୍ବ ଏବଂ କାଜୁ ତୋଳିବା ଲାଗି ଲୋକେ ସକାଳୁ ଜଙ୍ଗଲକୁ ଯାଉଛନ୍ତି । ଯେଉଁଥିପାଇଁ ଏପରି ଦୁର୍ଘଟଣା ଘଟୁଛି । ମୃତ ମହେଶ୍ୱରଙ୍କ ପରିବାରକୁ ସରକାରଙ୍କ ନିୟମ ଅନୁଯାୟୀ, ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ । ଆଜି ପ୍ରଥମେ ୬୦ ହଜାର ଟଙ୍କା ତାଙ୍କ ପରିବାରକୁ ଦିଆଯାଇଛି ।