ଜରିପାଲ ତଳେ ୪୦ ଡୋକ୍ରା ପରିବାରଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଶପ୍ତଶଯ୍ୟା ନିକଟସ୍ଥ ସଦେଇବେରଣୀ ନବଜୀବନପୁର ଗ୍ରାମରେ ନିର୍ମିତ ହୋଇଛି କଳାକୃତି ଗ୍ରାମ । ପ୍ରତ୍ୟେକ ଦିନ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଏଠାକୁ  ଆସିବା ନିମନ୍ତେ ଆକୃଷ୍ଟ କରିବା ପାଇଁ ଏହା ନିର୍ମାଣ କରାଯାଇଥିଲା । ଏହି ଉଦେ୍ଦଶ୍ୟ ଥିଲା ଡୋକ୍ରା କାରିଗରମାନେ ସେଠାରେ ନିଜ ନିଜର ଜିନିଷ ବିକ୍ରି କରିବେ, ଆଉ ପର୍ଯ୍ୟଟକମାନେ ନିଜ ମନ ପସନ୍ଦର ଡୋକ୍ରା ଜିନିଷ କିଣିପାରିବେ । ହେଲେ ଏହି କଳାକୃତି ଗ୍ରାମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ୮କୋଟିରୁ ଊଦ୍ଧ୍ୱର୍ ଟଙ୍କାରେ ନିର୍ମିତ ଏହି କଳାକୃତି ଗ୍ରାମ ଯେଉଁମାନଙ୍କ ପାଇଁ ତିଆରି ହୋଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଗାଁ ଛାଡି ଜଙ୍ଗଲରେ ରହୁଛନ୍ତି । 
ଢେଙ୍କାନାଳ ଜିଲ୍ଲା ଶପ୍ତଶଯ୍ୟା ନିକଟସ୍ଥ ସଦେଇବେରଣୀ କାଳାକୃତି ଗ୍ରାମ ନବଜୀବନପୁର । ଏହି କାଳକୃତି ଗ୍ରାମର ଡୋକ୍ରା କାରିଗରଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ୪୦ପରିବାର ଗ୍ରାମ ଛାଡି ସପ୍ତଶଯ୍ୟା ଜଙ୍ଗଲରେ ୧୦ବର୍ଷ ଧରି ଜରିପାଲ ତଳେ ଜୀବନ ବିତାଉଛନ୍ତି । ଡୋକ୍ରା ସାମଗ୍ରୀର ଚାହିଦା ଦେଶ ବିଦେଶରେ ବଢିବାରେ ଲାଗିଛି । ଏମାନଙ୍କ ହାତ ତିଆରି ସାମଗ୍ରୀ ଘରର ସାଜ୍ଜସଜାରେ ଶୋଭା ବଢାଉଛି । ଡୋକ୍ରା ପାଇଁ ଢେଙ୍କାନାଳ ଏବେ ରାଜ୍ୟରେ କାହିଁକି ସାରା ଭାରତରେ ପରିଚିତ । ଏହାର ବିନ୍ଧାଣୀ ସାଜିଥିବା ଶିତଳା ସଂପ୍ରଦାୟର ଆଦିବାସୀମାନେ କାହିଁ କେଉଁ କାଳରୁ ଏହି ବୃତ୍ତିକୁ ଆପଣାଇଛନ୍ତି । ପୂର୍ବରୁ ସେମାନେ ବିଭିନ୍ନ ଅଚଂଳରେ ବିକ୍ଷିପ୍ତ ଭାବରେ ରହି ପିତଳର ମାଣ, ଗଉଣୀ, ଗାତୀ, ରୁଖା ପ୍ରଭୃତି କରି ବୁଲିବୁଲି ବିକୁଥିଲେ । ପରେ ଏହି ସଂପ୍ରଦାୟର କାରିଗରମାନେ ସଦର ବ୍ଲକ ସପ୍ତଶଯ୍ୟା ନିକଟସ୍ଥ ସଦେଇବେରଣୀରେ ସ୍ଥାୟୀ ଭାବେ ବସତି ସ୍ଥାପନ କରିଥିଲେ । ସେମାନେ ବିଭିନ୍ନ ତାଲିମ୍ ନେଇ ନୂଆ ନୂଆ ହାତ ତିଆରି ଡୋକ୍ରା ସାମଗ୍ରୀ  ପ୍ରସ୍ତୁତ କରି ବଜାରରେ ଚାହିଦା ସୃଷ୍ଟି କରୁଥିଲେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଦ୍ରବ୍ୟକୁ ଉପଯୁକ୍ତ ବଜାର ଯୋଗାଇ ଦେବା ନିମନ୍ତେ ପୁରୀ ରଘୁରାଜପୁର ଭଳି ନବଜୀବନପୁର ନାମରେ ଏକକଳା କୃତି ଗ୍ରାମ  ୨୦୧୫ ମସିହାରୁ କାର୍ଯ୍ୟାରମ୍ଭ ହୋଇଥିଲା । ଡୋକ୍ରା ସାମଗ୍ରୀର କିଣାବିକା କରିବାକୁ  ରାଜ୍ୟ ସରକାର ଉକ୍ରଳିକା ଓ ଓରମାସ୍ ଦ୍ୱାରା ସୁଯୋଗ ସୃଷ୍ଟି କଲେ ।  ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଡୋକ୍ରା ସାମଗ୍ରୀ କ୍ରୟ ବିକ୍ରୟ କରୁଥିଲେ । କାରିଗରମାନେ ଉକ୍ତ ସଂସ୍ଥାକୁ ନ ଦେଇ  ଉକ୍ରଳିକା ଓ ଓର୍ମାସକୁ ବିକ୍ରି କରିବାକୁ ମନସ୍ଥ କଲେ । କିଛି କାରିଗର ଉକ୍ତ ସ୍ୱେଚ୍ଛାସେବୀ ସଂସ୍ଥାକୁ ସିଧାସଳଖ ଦେବାକୁ ରାଜି ହୋଇଥିବା ବେଳେ ଆଉକିଛି ଅରାଜି ହୋଇଥିଲେ । ଫଳରେ ଏହାକୁ ନେଇ କାରିଗରମାନଙ୍କ ମଧ୍ୟରେ ଫାଟସୃଷ୍ଟି ହୋଇଥିଲା । କାରିଗରମାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିବାରୁ  ପ୍ରାୟ ୪୦ ପରିବାରର କାରିଗର ଗ୍ରାମ ଛାଡି ନିକଟସ୍ଥ ସପ୍ତଶଯ୍ୟା ପାହାଡତଳ ଜଙ୍ଗଲରେ ୨୦୧୬ ମସିହାରୁ  ଝାଟିିମାଟି କାନ୍ଥ, ଚାଳିଆ ଉପରେ ଜରିପାଲ ଘୋଡାଇ ଦୟନୀୟ ଭାବେ ବସବାସ କରି ଆସୁଛନ୍ତି । ସେଠାରେ ଡୋକ୍ରା ସାମଗ୍ରୀ ପ୍ରସ୍ତୁତ କରି ସପ୍ତଶଯ୍ୟାକୁ ଆସୁଥିବା ପର୍ଯ୍ୟଟକ ଏବଂ ବିଭିନ୍ନ ପ୍ରଦର୍ଶନୀକୁ ସାମଗ୍ରୀ ନେଇ ବିକ୍ରି କରୁଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ରାଜ୍ୟ ସରକାରଙ୍କ ପୁରସ୍କାରପ୍ରାପ୍ତ କାରିଗର ମଧ୍ୟ ଅଛନ୍ତି ।  
ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କ ମଧ୍ୟରେ ମିଳାମିଶା କରିବା ପାଇଁ ଅନେକ ଥର ଉଦ୍ୟମ କରାଯାଇଥିବା ବେଳେ ତାହା ସମ୍ଭବ ହେଉନାହିଁ । ସେମାନଙ୍କ ନାମରେ ପୂର୍ବରୁ ଦିଆଯାଇଥିବା ଜମି ଓ ଘର ଥିବାରୁ  ନୂଆ କରି ସେମାନଙ୍କୁ ଘର କିମ୍ବା ଜମି  ଯୋଗଇ ଦିଆ ଯାଇପାରୁନାହିଁ । ପ୍ରଶାସନ ସେମାନଙ୍କୁ ବର୍ଷକୁ ବର୍ଷ ଜରିପାଲ ଯୋଗଇ ଆସୁଛନ୍ତି ।  ଭୁବନେଶ୍ୱର ସ୍ୱେଚ୍ଛାସେବୀ ଅନୁଷ୍ଠାନ କାରିଗରଙ୍କୁ କଂଚାମାଲ ଦେଇ ଭାଟି ପାଖରେ ଜଗି ରହି ପ୍ରସ୍ତୁତ ସାମଗ୍ରୀକୁ ନେଇ ଯାଉଛି ।  କାରିଗରଙ୍କୁ ସେମାନଙ୍କର ଉପଯୁକ୍ତ ପାରିଶ୍ରମିକ  ମଧ୍ୟ ଦେଉନଥିବା କିଛି କାରିଗର ଅଭିଯୋଗ କରିଛନ୍ତି ।  ଏହି ସଂସ୍ଥା ଏକରକମର  ସାହୁକାର କାରବାର ଚଳାଇଥିବା  ଅଭିଯୋଗ ହୋଇଛି । ସରକାର ଏହି ସମସ୍ୟାର ସମାଧାନ କରିବାରେ ବ୍ୟର୍ଥ ।  କିନ୍ତୁ କଳାକୃତି ଗ୍ରାମ ପାଇଁ କୋଟିକୋଟି ଟଙ୍କା ଅର୍ଥ ବ୍ୟୟ କରି ଚାଲିଛନ୍ତି ।  ଡୋକ୍ରା କାରିଗରଙ୍କ ପାଇଁ ୨୭ ଟି କର୍ମଶାଳା ଗୃହ ପୁରୁଷ ଓ ମହିଳାଙ୍କ ପାଇଁ ଶୌଚାଳୟ, ପ୍ରଦର୍ଶନୀ ଗୃହ, ପର୍ଯ୍ୟଟକ ରହିବା ପାଇଁ କଟେଜ୍, କ୍ୟାଫେଟ୍, କାର୍ଯ୍ୟାଳୟ, ପିଲାଙ୍କ ଆମୋଦ ପ୍ରମୋଦ ଗୃହ ସହ  ଖେଳ ଉପକରଣ, ହସ୍ତଶିଳ୍ପ ଓ ହସ୍ତତନ୍ତ ସମ୍ବନ୍ଧୀୟ ପାଠାଗାର, ହସ୍ତକଳା ଓ ହସ୍ତତନ୍ତ ସଂପର୍କୀତ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ ପାଇଁ ଏକ ଅଡିଓ ଭିଜୁଆଲ୍ ହଲ୍ ନିର୍ମାଣ, ମୁକ୍ତ ଆକାଶ ମଂଚ, ପର୍ଯ୍ୟଟକଙ୍କ ପାଇଁ ସନ୍ତରଣାଗାର ଆଦି ନିର୍ମାଣରେ ପ୍ରାୟ ୮କୋଟି ଟଙ୍କା ବ୍ୟୟ କରାଯାଇଛି । ଏହା ସହ ଡିଏମ୍ଏଫ୍ ଫଣ୍ଡରେ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି । କିନ୍ତୁ ଏସବୁ କାମରେ ଲାଗିପାରୁନି ତାହା ସବୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏ ପଟେ କାରିଗରଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଯାଇଥିବା ବେଳେ ସେମାନେ  ଜରିପାଲ ତଳେ ଜୀବନ ବିତାଉଛନ୍ତି ।  ଏ ସଂପର୍କରେ ଡୋକ୍ରା କାରିଗର ସନାତନ ପ୍ରଧାନ ଓ ଗୋଲାଉପ ଗଡଡିଆ କୁହନ୍ତି, ବାପା ଜେଜା ବାପାଙ୍କ କାରିଗର କୌଶଳକୁ ଆମେ ବଂଚାଇ ରଖିଛୁ । କଲାକୃତି ଗ୍ରାମରେ ଆାମ ହାତ ତିଆରି ଜିନିଷ ବିକି ୨ ପଇସା ରୋଜଗାର କରିବାକୁ ସ୍ୱପ୍ନ ଦେଖିଥିଲୁ । ହେଲେ ଆମ ମଧ୍ୟରେ କିଛି ସ୍ୱାର୍ଥବାଦୀ ଲୋକ ବିଭେଦ ସୃଷ୍ଟିକଲେ । ଫଳର ଆମେ ୪୦ ପରିବାର ୧୦ବର୍ଷ ହେବ ଏହି ଶପ୍ତଶଯ୍ୟା ଜଙ୍ଗଲ ମଧ୍ୟରେ ଜରିପାଲ ଘେରି ରହିବା ସହିତ ଡୋକ୍ରା ଜିନିଷ ତିଆରି କରୁଛୁ । ଶପ୍ତଶଯ୍ୟାକୁ ବୁଲିଆସୁଥିବା ପର୍ଯ୍ୟଟକଙ୍କୁ ଏହାକୁ ବିକି ପରିବାର ପୋଷୁଛୁ । ଆମେ ଦେଖିଥିବା ସ୍ୱପ୍ନ ଜରିପାଲ ତଳେ ରହିଗଲା । ଆମ ପାଇଁ ତିଆରି ହୋଇଥିବା କଳାକୃତି ଗ୍ରାମ ଆମର କିଛି କାମରେ ଲାଗୁନାହିଁ । ଏହା ଏବେ ଭୁତକୋଠି ହୋଇ ପଡି ରହିଛି ।