ବିଷାକ୍ତ ମଦ ପିଇ ଯୁବକଙ୍କ ମୃତୁ୍ୟ : ଶବ ରଖି ରାସ୍ତା ଅବରୋଧ 

 ବାଲିଚନ୍ଦ୍ରପୁର: ଏହି ଥାନା  ମାଣ୍ଡୁକା ଗ୍ରାମର ସ୍ୱର୍ଗତ ବନ ବିହାରୀ ଦଳେଇଙ୍କ ପୁଅ ପ୍ରଶାନ୍ତ ରବିବାର ରାତିରେ ମଦ ପିଇ ମୃତୁ୍ୟ ବରଣ କରିଥିବା ବେଳେ ପରିବାର ଓ ଗ୍ରାମବାସୀ ସୋମବାର କୃଷ୍ଣଦାସପୁର-ରନôଗିରି ରାସ୍ତାରେ ଶବ ରଖି ଧାରଣାରେ ବସିଥିଲେ । ଦୀର୍ଘ ୪ ଘଣ୍ଟା ରାସ୍ତା ରୋକ ପରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ଏତଦ୍ ସହିତ ଚୋରା ମଦ ବିକ୍ରି ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଅଭିଯୋଗ ଅନୁଯାୟୀ ମାଣ୍ଡୁକା ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘଦିନ ହେବ ଗ୍ରାମ ମଧ୍ୟରେ ଚୋରା ମଦ ବିକ୍ରି କରି ଆସୁଛନ୍ତି । ରବିବାର ପ୍ରଶାନ୍ତ ସେଠାରୁ ଦୁଇ ଥର ମଦ କିଣି ପିଇଥିଲା । ରାତିରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ମେଡିକାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ପ୍ରଶାନ୍ତକୁ ମୃତ ଘୋଷଣା କରିଥିଲେ । ଶବକୁ ବଡ଼ଚଣା ମେଡିକାଲରୁ ଆଣି କୃଷ୍ଣଦାସପୁର-ରନôଗିରି ଓ ବରୁହା-ବାଲିଚନ୍ଦ୍ରପୁର ପୂର୍ତ ବିଭାଗ ରାସ୍ତାର ମାଣ୍ଡୁକା ଗ୍ରାମର ଚାରି ଛକରେ ରଖି ଉଭୟ ରାସ୍ତା ବନ୍ଦ କରିଥିଲେ । ବାଲିଚନ୍ଦ୍ରପୁର ପୁଲିସ ପହଁଚି ଅବରୋଧ କାରୀଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ସେମାନେ ବିଷାକ୍ତ ମଦ ଖାଇ ମୃତୁ୍ୟ ବରଣ କରିଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ପୁଲିସ ଚୋରା ମଦ ଦୋକାନ ଉପରେ ଚଢାଉ କରି ୨ ପେଟି ମଦ ଜବତ କରିଥିଲେ । ଚୋରା ମଦ ବ୍ୟବସାୟୀ ଅକ୍ଷୟ ଦଳେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଏହି ସମୟ ରେ ଏକ ସ୍କୁଟରରେ ଚୋରା ମଦ ବାଲିଚନ୍ଦ୍ରପୁରରୁ ନେଇ ଯାଉଥିବା ଜଣେ ବେପାରୀକୁ ମହିଳା ମାନେ ଧରି ପୁଲିସ ଜିମା ଦେଇଥିଲେ ।