ପୂର୍ତ୍ତ ବିଭାଗ ତ୍ରୁଟି ପାଇଁ ଖସିଲା ୩୦ଫୁଟର ଅତଡ଼ା

 ଯାଜପୁର: ଲଗାଣ ବର୍ଷା କାରଣରୁ ବୈତରଣୀ ଜଳସ୍ତର ବଢିଛି । ଜଳସ୍ତର ବିପଦ ସଂକୁଳ ତଳେ ଥିଲେ ବି ବନ୍ୟାଜଳ ଦ୍ୱିତୀୟ ଥର ପ୍ରବାହିତ ହୋଇଛି । ପ୍ରବାହିତ ବନ୍ୟା ଜଳ ଯୋଗୁ ଗତକାଲି ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତ ନୂଆପାଟଣା ଗ୍ରାମ ନିକଟରେ ନଦୀ ବନ୍ଧରୁ ଅତଡ଼ା ଖସିପଡ଼ିଥିଲା । ଯାହା ଫଳରେ ନୂଆପାଟଣା ଗ୍ରାମ ସମେତ ଆଖପାଖ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଥିଲେ । ବନ୍ୟା ଜଳସେଭଳି କରାଳରୂପ ନେଇ ଆସିଥିଲେ ବି ହଠାତ ନଦୀବନ୍ଧରୁ ଅତଡ଼ାଖସିବା ପଛରେ ପୂର୍ତବିଭାଗର ଦାୟିତ୍ୱ ହିନତାକୁ ଦାୟି କରାଯାଇଛି । । ପୂର୍ତ୍ତ ବିଭାଗ ଦ୍ୱାରା ଉକ୍ତ ସ୍ଥାନରେ ନିର୍ମାଣାଧୀନ ଅସ୍ଥାୟୀ ସେତୁ ବର୍ଷା ଋତୁ ପୂର୍ବରୁ ଖୋଲା ନ ଯିବାରୁ ଅତଡ଼ା ଖସିବାର ମୁୁଖ୍ୟ କାରଣ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅସ୍ଥାୟୀ ସେତୁ କାରଣରୁ ନଦୀରେ ପ୍ରବାହିତ ବନ୍ୟା ଜଳ ସଠିକ ଭାବେ ପ୍ରବାହିତ ହେବାରେ ବାଧାପ୍ରାପ୍ତ ହୋଇଥିଲା । ଅସ୍ଥାୟୀ ସେତୁ କାରଣରୁ ଜଳସ୍ରୋତ ସିଧାସଳଖ ବାମପାର୍ଶ୍ୱ ବନ୍ଧରେ ମାଡ଼ ହେବାରୁ ବନ୍ଧରୁ ଅତଡ଼ା ଖସିଥିଲା । ଜଳସେଚନ ବିଭାଗ ପକ୍ଷରୁ ଯୁଦ୍ଧ କାଳୀନ ଭିତିରେ ଏହାର ମରାମତି କାର୍ଯ୍ୟ କରାଯାଇଛି ସତ କିନ୍ତୁ ପ୍ରଶ୍ନ ଉଠୁଛି ପୂର୍ତ ବିଭାଗ ଏବଂ ନିୟୋଜିତ ଠିକାଦାର ଏତେ ବେପରୁଆ ହେଲେ କେମିତି? ବୈତରଣୀରେ ବନ୍ୟାହେଲେ ସର୍ବାଧିକ ପ୍ରଭାବ ଦଶରଥପୁର ବ୍ଲକ ଅଞ୍ଚଳବାସୀ ହୋଇଥାନ୍ତି ।  ଏକଥାକୁ ଭଲ ଭାବେ ବୁଝିଥିବା ପୂର୍ତ୍ତ ବିଭାଗ ବୈତରଣୀରେ ବନ୍ୟା ଆସିବା ପୂର୍ବରୁ କାହିଁକି ଅସ୍ଥାୟୀ ସେତକୁ ଭାଙ୍ଗିନଥିଲେ ତାହାର ତଦନ୍ତ ହେବା ଆବଶ୍ୟକତା ରହିଛି । ଯଦିଓ ବନ୍ଧର ସୁରକ୍ଷା ବ୍ୟବସ୍ଥା କରାଯାଇଛି କିନ୍ତୁ ପ୍ରତ୍ୟକ୍ଷ ଭାବେ ପୂର୍ତ୍ତ ବିଭାଗ ଦଶରଥପୁରବାସୀଙ୍କୁ ଆତଙ୍କିତ ଅବସ୍ଥାରେ ରହିବାକୁ ଛାଡ଼ି ଦେଇଛନ୍ତି ବୋଲି ଅଭିଯୋଗ ହେଉଛି । ଖବର ଥାଉକି ସେତୁ ପାଇଁ ବନ୍ଧର ଅତି ନିକଟରୁ ପ୍ରାୟ ୩୦ଫୁଟରୁ ଉର୍ଦ୍ଧ ଅଂଶ ଅତଡ଼ା ରବିବାର ରାତିରେ ଖସିପଡ଼ିଥିଲା ।