ପୂର୍ବତନ ରାଜ୍ୟପାଳ ସତ୍ୟପାଲଙ୍କ ପରଲୋକ

 ନୂଆଦିଲ୍ଲୀ :  ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ଦିନ ପ୍ରାୟ ୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ଚିକିସôା ଚାଲିଥିବା ବେଳେ ସେଠାରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
 ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେ’ ୧୧ ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦିନ ଧରି ମୃତୁ୍ୟ ସହ ସଂଗ୍ରାମ କରିବା ପରେ ଆଜି ସେ ହାରିଯାଇଛନ୍ତି । ସତ୍ୟପାଲ ମଲିକ ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ପର୍ଯ୍ୟନ୍ତ ଜମ୍ମୁ ଏବଂ କାଶ୍ମୀର ରାଜ୍ୟର ଶେଷ ରାଜ୍ୟପାଳ ଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ୨୦୧୯ ଅଗଷ୍ଟ ୫ତାରିଖରେ ଧାରା ୩୭୦ରଦ୍ଦ କରାଯାଇଥିଲା । ଏହା ସହ ଜମ୍ମୁ ଓ କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ କରାଯାଇ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ  ଜମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରାଯାଇଥିଲା । ସଂଯୋଗବଶତଃ, ଆଜି ଏହି ନିଷ୍ପତ୍ତିର ଷଷ୍ଠ ବାର୍ଷିକୀ ଓ ଏହି ଦିନ ସତ୍ୟପାଲ ମଲିକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜମ୍ମୁ ଓ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ସତ୍ୟପାଲ ମଲିକଙ୍କୁ ଗୋଆର ୧୮ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା । ସେ ଅକ୍ଟୋବର ୨୦୨୨ପର୍ଯ୍ୟନ୍ତ ମେଘାଳୟର ୨୧ତମ ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସତ୍ୟପାଲ ମଲିକ ୨୪ ଜୁଲାଇ ୧୯୪୬ ଜୁଲାଇ ୨୪ ତାରିଖରେ ଉତ୍ତରପ୍ରଦେଶର ବାଗପତ ଜିଲ୍ଲା ହିସାବଦା ଗାଁରେ ଏକ ଜାଟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମିରଟ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଏବଂ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ୨୧ ମାର୍ଚ୍ଚ ୨୦୧୮ ମାର୍ଚ୍ଚ ୨୧ରେ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ଏବଂ  ୨୦୧୮ ମେ’ ୨୮ ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶାର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ । ଜମ୍ମୁ ଓ କାଶ୍ମୀରରେ ଦୁଇଟି ପ୍ରମୁଖ ପ୍ରକଳ୍ପର ଫାଇଲ୍ ପାସ ପାଇଁ ତାଙ୍କୁ ଲାଞ୍ଚ ପ୍ରଦାନ କରାଯାଇଥିବା ଅଭିଯୋଗ  ହୋଇଥିଲା । ସିବିଆଇ ଏହାର ତଦନ୍ତ କରୁଥିବା ବେଳେ ୨,୨୦୦ କୋଟି ଟଙ୍କାର କିରୁ ଜଳବିଦୁ୍ୟତ ପ୍ରକଳ୍ପ ସମ୍ପର୍କିତ ଏକ ମାମଲାରେ ତାଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ।