ବାଦଲଫଟା ବର୍ଷା ଓ ଭୂ-ସ୍ଖଳନ ୫ ଶିଶୁଙ୍କ ସମେତ ୧୧ ମୃତ
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପୁଣି ବାଦଲଫଟା ବର୍ଷା ସହ ଭୂ-ସ୍ଖଳନ ଘଟିଛି । ଫଳରେ ୫ଜଣ ଶିଶୁଙ୍କ ସମେତ ୧୧ ଜଣଙ୍କ ମୃତୁ୍ୟ ହୋଇଛି । ରାମବନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ୪ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ପଡୋଶୀ ରିଆସି ଜିଲ୍ଲାର ଏକ ଗାଁରେ ଭୂସ୍ଖଳନ ହେବା ଫଳରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତୁ୍ୟ ହୋଇଛି ।
ଜଣେ ଅଧିକାରୀ କହିଛନ୍ତିଯେ, ଆଜି ସକାଳେ ରାମବନ ଜିଲ୍ଲାର ରାଜଗଡ଼ ତହସିଲ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ଅଞ୍ଚଳରେ ଭୂସ୍ଖଳନ ଓ ବନ୍ୟା ହୋଇଥିଲା । ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କର୍ତ୍ତୃପକ୍ଷ ଅଞ୍ଚଳରେ ଉଦ୍ଧାର ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି । ଏସଡିଆରଏପ, ପୁଲିସ, ସ୍ଥାନୀୟ ସରକାରୀ ସଂସ୍ଥା ଓ ସ୍ଥାନୀୟ ବାସିନ୍ଦା ଭଗ୍ନାବଶେଷ ତଳେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସରେ ସାମିଲ ହୋଇଛନ୍ତି ।
ଏହି ସମୟରେ ରିଆସି ଜିଲ୍ଲା ମାହୋର ଅଞ୍ଚଳର ବାଦର ଗାଁରେ ପ୍ରବଳ ବର୍ଷା ଯୋଗୁଁ ଏକ ବଡ଼ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନ ଯୋଗୁଁ ଏକ ଘର ଭୁଶୁଡ଼ି ପଡ଼ିଛି ଓ ଭିତରେ ଉପସ୍ଥିତ ଥିବା ଜଣେ ଦମ୍ପତି ଓ ସେମାନଙ୍କର ପାଞ୍ଚ ଜଣ ପିଲା ମୃତୁ୍ୟବରଣ କରିଥିବା ଆଶଙ୍କା କରାଯାଉଛି । ଦମ୍ପତି ୩୮ ବର୍ଷୀୟ ନାଜିର ଅହମ୍ମଦ ଓ ତାଙ୍କ ପନôୀ ୱାଜିରା ବେଗମ ବୋଲି ଚିହ୍ନଟ କରାଯାଇଛି । ଅଗଷ୍ଟ ୨୬ ତାରିଖରେ ବୈଷ୍ଣୋଦେବୀ ମନ୍ଦିରକୁ ଯାଉଥିବା ରାସ୍ତାରେ ବିରାଟ ବାଦଲଫଟା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ୪୧ ଜଣଙ୍କର ମୃତୁ୍ୟ ହୋଇଥିଲା । ଅଧିକାଂଶ ତୀର୍ଥଯାତ୍ରୀ ଥିଲେ ଓ ୨୩ ଜଣ ଆହତ ହୋଇଥିଲେ ।